ଅଗଷ୍ଟ ୭ ଯାଏଁ କନ୍ଧମାଳ ଜିଲ୍ଲା ଲକଡାଉନ: ୩୧ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ବନ୍ଦ

ଫୁଲବାଣୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଅଗଷ୍ଟ ୭ ତାରିଖ ଯାଏଁ କନ୍ଧମାଳ ଜିଲ୍ଲା ଲକଡାଉନ ରହିବ। ଜିଲ୍ଲାପାଳ ଡ. ବୃନ୍ଦା ଡି ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।  କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ଲକଡାଉନ ରହିବ। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଗଷ୍ଟ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସିଲ୍ କରି ଦିଆଯିବ। ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ଲୋକେ ଜରୁରୀକାଳୀନ ସମୟରେ ବାଇକରେ ଯାଇପାରିବେ। ସରକାରୀ କର୍ମଚାରୀମାନେ ଜରୁରୀକାମରେ ଯିବାଆସିବା କରିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ତେଜରାତି ଦୋକାନ , ଫଳ, ଖୀର ଓ ପନିପରିବା ଦୋକାନ କେବଳ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ। ସେଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ସରକାରୀ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଲକଡାଉନ ସମୟରେ ହସପିଟାଲ, କ୍ଲିନିକ, ନର୍ସିଂହୋମ, ପାଥୋଲୋଜୀ, ଔଷଧ ଦୋକାନ ଖୋଲା ରହିବ।  ଆମ୍ବୁଲାନ୍ସ ସେବା ଜାରି ରହିବ। ଜିଲ୍ଲା ଓ ପୌରପାଳିକା ପ୍ରଶାସନ, ପୁଲିସ ଓ ଦମକଳ ସେବା ଚାଲୁରହିବ। ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ। କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପୁଲିସ ଦ୍ୱାରା ଜାରି କରାଯାଇଥିବା ପାସ ଦେଖାଇ ଗଣମାଧ୍ୟମର କର୍ମଚାରୀ ଯାତାୟାତ କରିପାରିବେ। ସେହିପରି ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଅନେକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସଂଗରୋଧରେ ଅଛନ୍ତି। ତେଣୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧ ତାରିଖରୁ କମ୍ ସଂଖ୍ୟକ କର୍ମଚାରୀରେ ବ୍ୟାଙ୍କ କାର୍ଯ୍ୟ ଚାଲିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।