ଲକଡାଉନ ପାଇଁ କମିସନରେଟ ପୁଲିସର କଡ଼ାକଡ଼ି ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକରେ ଲକଡାଉନ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି। ଉଭୟ ସହରରେ ଏନଫୋର୍ସମେଣ୍ଟକୁ କଡାକଡ଼ି କରାଯିବ ବୋଲି ପୁଲିସ କମିସନର କହିଛନ୍ତି।

ଲକଡାଉନ ସମୟରେ ଭୁବନେଶ୍ୱରରେ ୫୩ଟି ଚେକ୍ ପୋଷ୍ଟ କରାଯିବ। ଏଥିସହିତ ସହରରେ ମୁତୟନ ରହିବେ ୨୦ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ। ସେହିପରି ୧୬୦ ଜଣ ଟ୍ରାଫିକ୍ କନଷ୍ଟେବଳ ଏବଂ ୨ଶହରୁ ଅଧିକ ପୁଲିସ ନିୟୋଜିତ କରାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।

ସେହିପରି କଟକରେ ୩୩ଟି ଚେକ୍ ପଏଣ୍ଟ କରାଯିବ। ସେଠାରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହ ୯୦ ଜଣ ପୁଲିସ ଅଫିସର ନିୟୋଜିତ ହେବେ। ଲକଡାଉନ ବେଳେ ଲୋକେ ଥାନାକୁ ନ ଆସି ୧୦୦ କିମ୍ବା ସମ୍ପୃକ୍ତ ଥାନାର ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ କରି ନିଜର କୌଣସି ଅଭିଯୋଗ କରିପାରିବେ। ଫୋନ ଯୋଗେ ଅଭିଯୋଗକାରୀଙ୍କ ଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ। ଏହାପରେ ପୁଲିସ ଯଥାଶୀଘ୍ର ଅଭିଯୁକ୍ତଙ୍କ ଘରେ ପୁଲିସ ପହଞ୍ଚିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।