ଆଉ ଏକ ସପ୍ତାହ ବଢିଲା ଦିଲ୍ଲୀରେ ଲକଡାଉନ୍‌

ନୂଆଦିଲ୍ଲୀ,ଏଜେନ୍ସି: ପୁରା ଦେଶରେ ଏବେ କରୋନା ଚିନ୍ତା ବଢାଇଥିବା ବେଳେ ସବୁଠାରୁ ସାଙ୍ଘାତିକ ସ୍ଥିତି ରହିଛି ରାଜଧାନୀ ଦିଲ୍ଲୀର। ଏବେ ଦିଲ୍ଲୀ ରେଡ୍ ଜୋନରେ ଥିବା ବେଳେ ସଂକ୍ରମଣ ଅଣାୟତ୍ତ ହୋଇସାରିଛି। ପ୍ରତି ମୁହୂର୍ତ୍ତରେ ଦିଲ୍ଲୀରେ ଜଣଙ୍କର କରୋନାରେ ପ୍ରାଣ ଯାଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଲକଡାଉନ୍ ଅବଧିକୁ ଆଉ ଏକ ସପ୍ତାହ ବଢ଼ାଇ ଦେଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ସୋମବାର ସକାଳ ୫ ଟା ଯାଏଁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ସପ୍ତାହ ପାଇଁ ଦିଲ୍ଲୀରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ବର୍ଦ୍ଧିତ ଲକଡାଉନ୍ ଆସନ୍ତା ମେ’ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଲକଡାଉନ୍ ସମୟରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କେତେକ ସେବାପାଇଁ ଇ-ପାସର ବ୍ୟବସ୍ଥା କରିଛନ୍ତି। କେତେକ ବର୍ଗର ଲୋକଙ୍କୁ ସେମାନଙ୍କର ଆଇ କାର୍ଡ ନେଇ ବାହାରକୁ ଯିବାର ସ୍ୱାଧୀନତା ଦିଆଯାଇଥିବାବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ ଇ-ପାସ୍ କରିବାକୁ ପଡିବ। ଲକଡାଉନ୍ ସମୟରେ ପୂର୍ବ ଭଳି ସବୁ ଜରୁରୀକାଳୀନ ସେବା କଟକଣା ମୁକ୍ତ ରହିବ।