ରାଜସ୍ଥାନରେ ମେ’ ୧୦ରୁ ମେ’ ୨୪ ଯାଏଁ ଶକ୍ତ ‘ଲକ୍‌ଡାଉନ୍‌’ ନିଷ୍ପତ୍ତି, ବିବାହ କାର୍ଯ୍ୟକ୍ରମ ମନା

ଜୟପୁର,ଏଜେନ୍ସି: କରୋନା ସଂକଟ ଯୋଗୁଁ ରାଜସ୍ଥାନ ସରକାର ରାଜ୍ୟରେ ଆସନ୍ତା ୧୦ ତାରିଖ ଠାରୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଘୋଷଣା କରିଛନ୍ତି ଯେ, ରାଜସ୍ଥାନରେ ମେ’ ୧୦ ତାରିଖ ସକାଳ ୫ଟାରୁ ମେ’ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ରହିବ। କେବଳ ଏତିକି ନୁହେଁ ରାଜ୍ୟରେ ଚଳିତ ମାସ ୩୧ ତାରିଖ ଯାଏଁ ବିବାହ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିବ।

ଜନ ଅନୁଶାସନ ପକ୍ଷରେ ରାଜ୍ୟରେ ବିବାହ ସଂପର୍କିତ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ। ବିବାହରେ ଡିଜେ, ବରଯାତ୍ରୀ ଏବଂ ପ୍ରୀତିଭୋଜନ ଦିଆଯାଇ ପାରିବ ନାହିଁ। କେବଳ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିହେବ। ଏଥିରେ କେବଳ ୧୧ ଜଣ ସାମିଲ ହୋଇପାରିବେ। କୋର୍ଟରେ ବିବାହ ପାଇଁ କୌଣସି କଟକଣା ନାହିଁ।

ବିବାହ ବଗିଚା, ମଣ୍ଡପ, ହଲ, ହୋଟେଲ ପରିସର ବିବାହ ପାଇଁ ବନ୍ଦ ରହିବ। ବିବାହ ସ୍ଥଳ ମାଲିକ ଟେଣ୍ଟ ବ୍ୟବସାୟୀ, କ୍ୟାଟରିଂ ପରିଚାଳକ ଓ ବ୍ୟାଣ୍ଡ ଜନିତ ଅଗ୍ରିମ ଟଙ୍କା ଫେରାଇବାକୁ ପଡ଼ିବ। ପରେ ବିବାହ କଲେ ଆପୋସ ସମାଧାନ କରିବାକୁ ହେବ। ଅନ୍ୟ ସବୁ ଧାର୍ମିକ ସ୍ଥଳକୁ ମଧ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି। ଗ୍ରାମାଞ୍ଚଳରେ ଶ୍ରମିକମାନେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ମନରେଗା କାମକୁ ବନ୍ଦ ରଖାଯାଇଛି।