ମହାରାଷ୍ଟ୍ର: ଆଜି ରାତି ୮ଟାରୁ ମେ’ ୧ ଯାଏଁ ଲକଡାଉନ୍

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଟକଣାକୁ ବଢ଼ାଇ ଦେଇଛନ୍ତି। ମହାରାଷ୍ଟ୍ରରେ ଆଜି ରାତି ୮ ଟାରୁ ଆସନ୍ତା ମେ’ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିଛନ୍ତି। ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। ପୂର୍ବରୁ ଏହା ୫୦ ପ୍ରତିଶତ ଥିଲା। କୋଭିଡ-୧୯ ପରିଚାଳନା ସଂସ୍ଥା ପାଇଁ ଏହା କୋହଳ କରାଯାଇଛି।

ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ ଏବେ ବିବାହ ସମାରୋହ ଲାଗି କେବଳ ୨ ଘଣ୍ଟ ଅନୁମତି ମିଳିବ। ବିବାହରେ କେବଳ ୨୫ ଜଣ ଲୋକ ସାମିଲ ହୋଇପାରିବେ। ଏହି ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ନୂଆ କଟକଣା ଅନୁସାରେ ସରକାରୀ ବସରେ ୫୦ ପ୍ରତିଶତ କ୍ଷମତା ଯାଏଁ ଯାତ୍ରୀ ରହିପାରିବେ। ଏହା ବ୍ୟତୀତ ଘରୋଇ ବସଗୁଡ଼ିକ ଅନ୍ୟ ଜିଲ୍ଲାକୁ ଯାଉଥିଲେ ଜିଲ୍ଲାପାଳଙ୍କ ଅନୁମତି ଦରକାର।

ଆଦେଶରେ କୁହାଯାଇଛି ଯେ, ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ଅଥବା ଗୁରୁତର ରୋଗୀ ଯିବାଆସିବା କରିପାରିବେ। ବିନା କାରଣରେ ଯିବାଆସିବା କଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହା ବ୍ୟତୀତ କେବଳ ଜରୁରୀକାଳୀନ ସେବା ଉପଲବ୍ଧ ହେବ।