ଲକଡାଉନ ଅବଧି ଏପ୍ରିଲ ୩୦କୁ ବୃଦ୍ଧି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ କୋଭିଡ-୧୯ ମହାମାରୀ ଉପରେ ତାଲା ପକାଇବା ପାଇଁ ଓଡିଶା ସରକାର ଆଜି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ସାରା ଦେଶରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଲକଡାଉନ ସ୍ଥିତିକୁ ବୃଦ୍ଧି କରିବା ସହ ଏପ୍ରିଲ ୩୦ ପର୍ଯ୍ୟନ୍ତ ଟ୍ରେନ୍ ଏବଂ ବିମାନ ସେବା ଆରମ୍ଭ ନ କରିବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ଦେଇଛି। ଏଥିସହ ସ୍କୁଲ କଲେଜ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି।

କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ଆମେରିକାର ଉଦାହରଣ ଦେଇ କହିଛନ୍ତି ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା। ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା ବୋଲି ନବୀନ କହିଛନ୍ତି। କିନ୍ତୁ ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇନଥିଲା।

ଏଥିସହ ଏହି ଶତାଦ୍ଦୀରେ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଆସିଛି। ତେଣୁ ସାହାସର ସହ ମୁକାବିଲା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି । ଏପଟେ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି । ଓଡିଶା ବାହାରେ ଫସିରହିଥିବା ଓଡି଼ଆ ଶ୍ରମିକଙ୍କ ଯତ୍ନ ନେବା ପାଇଁ ସେ ସେସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି।