ଚେନ୍ନାଇ,ଏଜେନ୍ସି: ତାମିଲନାଡୁରେ କମୁନି ସଂକ୍ରମଣ। ବର୍ତ୍ତମାନ ରାଜ୍ୟରେ ୧୦ ହଜାର ଉପରେ ରହୁଛି ପଜିଟିଭ ସଂଖ୍ୟା। ମହାମାରୀ ସ୍ଥିତିକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଲକଡାଉନ ଆଉ ଏକ ସପ୍ତାହ ବା ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ଏହି ମଧ୍ୟରେ କିଛିଟା କଟକଣାକୁ ମଧ୍ୟ କୋହଳ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚେନ୍ନାଇ ମେଟ୍ରୋ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲୁ ରହିବା ସହିତ ସିନେମା, ଟିଭି ସିରିଏଲ ସୁଟିଂ ୧୦୦ ଜଣଙ୍କୁ ନେଇ ହେବ। ଚେନ୍ନାଇ, ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗାଲପେଟ ଅଞ୍ଚଳକୁ ୫୦ ପ୍ରତିଶତ ଯାତ୍ରୀଙ୍କ ସହିତ ଯାତାୟାତ ହୋଇପାରିବ। ଏହି ଅଞ୍ଚଳରେ ଅଟୋ ଓ କ୍ୟାବ ମଧ୍ୟ ଚାଲୁ ରହିବ। ଚପଲ ଦୋକାନ ଓ ଚଷମା ଦୋକାନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଗାଡ଼ି ଶୋ’ ରୁମ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ। ରାସ୍ତାକଡ ରେଷ୍ଟୁରାଣ୍ଟରେ ବସିକି ଖାଇବା ପାଇଁ ଅନୁମତି ଦିଆଯାଇନାହିଁ। ଲୋକମାନେ କେବଳ ପାର୍ସଲ ନେଇପାରିବେ। ହାର୍ଡୱେର, ସଫ୍ଟୱେର, ଇଲେକ୍ଟ୍ରୋନିକ୍ସ ଦୋକାନ ଆଦି ଚେନ୍ନାଇ, ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗାଲପଟ୍ଟୁଜ ଜିଲ୍ଲାରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବ।