ଲକଡାଉନକୁ ଫୁ: ଆକ୍ସନ ମୋଡ଼ରେ ଜିଲ୍ଲା ପୁଲିସ, ୨ ବାଇକ୍ ଜବତ ଓ ୪ ଗିରଫ ଜିଲ୍ଲା By Nitidin On Mar 26, 2020 Share ଦେବଗଡ଼,ଏନ୍ଏନ୍ଏସ୍: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଓଡ଼ିଶାକୁ ପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ତେବେ ଏ ନେଇ ରାଜ୍ୟ ସରକାର ତଥା କେନ୍ଦ୍ର୍ର ସରକାର ଏହାକୁ ବିର୍ଯ୍ୟୟ ଘୋଷଣା କରିବା ସହ ସାରା ରାଜ୍ୟକୁ ଲକଡାଉଡ ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିର ଅବମାନନା କରି କେତେକ ଲୋକେ ସଚେତନ ନ ହେବା ସହ ବିନା କାରଣରେ ପଦାରେ ବୁଲୁଛନ୍ତି। ଏ ନେଇ ଜିଲ୍ଲା ପୁଲିସ ଆକ୍ସନ ମୋଡ଼ରେ ଆସିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ କରୋନା ଭୂତାଣୁ ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏ ନେଇ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବନାଇ ରଖିବା ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏଥିରେ ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ରାସନ ଦୋକାନ, ଔଷଧ ଦୋକାନ, ପନିପରିବା, ମାଛ, ଅଣ୍ଡା, ଫଳ ଓ କ୍ଷୀର ଦୋକାନ ଗୁଡିକ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମାତ୍ର କେତେକ ଜନସାଧାରଣ ଏହାକୁ ମାନୁ ନ ଥିବା ଗତକାଲି ଦେଖିବାକୁ ମିଳିଥିଲା। ଫଳରେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ନ ବାହାରିବା ସହ ପ୍ରଶାସନର ନିର୍ଦ୍ଦେଶକୁ ପାଳନ ପାଇଁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଆଜି ପୂର୍ବାହ୍ନରେ ମୁଖ୍ୟ ବଜାର ରାସ୍ତାରେ ଏସପି ଶ୍ରୀ ଜୈନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ରିଜର୍ଭ ଇନ୍ସପେକ୍ଟର କାଳୀ ଚରଣ ମାଝୀଙ୍କ ସମେତ ପୁଲିସ ବଳ ପହଞ୍ଚି ଖୋଲା ରହିଥିବା ଦୋକାନକୁ ବନ୍ଦ କରିବା ସହ ଦୋକାନ ମାଲିକଙ୍କୁ ଥାନାକୁ ଧରି ନେଇଥିବା ଦେଖିବାକୁ ମିଳିଛି। ସେହିପରି କେତେକ ଅମାନିଆ ବାଇକ ଚାଳକଙ୍କୁ ଅଟକ ରଖି ବାଇକ ଜବତ କରାଯିବା ସହ ଦେବଗଡ଼ ଥାନାରେ ଗୋଟିଏ ମାମଲାର ୩ଜଣ ଓ କୁଣ୍ଢେଇଗୋଳା ଥାନାରେ ଗୋଟିଏ ମାମଲା ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଗଚ୍ଛିତ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଥିବା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି। Share