ଲକଡାଉନ ପାଇଁ ଗା’ ଦାଣ୍ଡରେ ଗଡ଼ୁଛି କଖାରୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ କଟକଣା ଯୋଗୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଂଚଳର କଖାରୁ ଓ ତରଭୁଜ ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି। ହାଟ ବସୁ ନଥିବାରୁ ଚାଷୀମାନେ ନିଜ ଉତ୍ପାଦିତ କଖାରୁ ଓ ତରଭୁଜ ବିକ୍ରି କରି ପାରୁନାହାନ୍ତି। ଫଳରେ ପଲସଦା, ନାଚେନମୁରା, ଝାରୁପରା ପରି ଅନେକ ବୁଡ଼ି ଅଂଚଳିଆ ଗ୍ରାମ ଦାଣ୍ଡରେ ଏବେ କୁଇଣ୍ଟାଲ କୁଇଣ୍ଟାଲ କଖାରୁ ଗଡ଼ୁଥିବା ବେଳେ ସହସ୍ରାଧିକ କୁଇଣ୍ଟାଲ କଖାରୁ ବିଲରେ ପଡ଼ି ରହିଛି। ଚାଷୀମାନେ ବଜାରକୁ ଯାଇ ଏହା ବିକ୍ରି କରି ପାରୁନଥିବାରୁ ବାଧ୍ୟହୋଇ ବେପାରୀଙ୍କୁ ଦେଉଛନ୍ତି। ଚାଷୀଙ୍କ ଅସହାୟତାର ସୁଯୋଗ ନେଇ ଅସାଧୁ ବେପାରୀମାନେ କିଲୋପ୍ରତି ମାତ୍ର ଟଙ୍କାଟେରୁ ୨ଟଙ୍କାରେ ଏହି କଖାରୁ ପ୍ରଦାନ କରୁଛନ୍ତି। ଯେଉଁ ଚାଷୀମାନେ ବଜାରରେ କଖାରୁକୁ ଅତି ଆରାମରେ ଖାଉଟୀଙ୍କୁ କିଲୋପ୍ରତି ୧୦ ଟଙ୍କାରେ ବିକ୍ରି କରିଥାଆନ୍ତେ ବଜାର ବନ୍ଦ ଯୋଗୁ ସେମାନେ ବାଧ୍ୟ ହୋଇ କିଲୋପ୍ରତି ମାତ୍ର ୨ ଟଙ୍କା ଦରରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଅନ୍ୟପଟେ ଏହି ଚାଷୀମାନେ କରିଥିବା ତରଭୁଜ ଚାଷକୁ ମଧ୍ୟ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଯୋଗୁ ତରଭୁଜଗୁଡ଼ିକ ବିଲରେ ହିଁ ପଚି ସଢ଼ି ନଷ୍ଟ ହୋଇଯାଇଛି। ଫଳରେ କରଜ କରି କଖାରୁ ଓ ତରଭୁଜ ଚାଷ କରିଥିବା ନାଚେମନୁରା, ଝାରୁପରା ଓ ପଲସଦା ଗ୍ରାମର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଏବେ ଭାଙ୍ଗି ପଡ଼ିଛି।