ଲକଡାଉନ ୫: ବ୍ୟାଙ୍କରେ ପାଳନ ହେଉ ନାହିଁ ସାମାଜିକ ଦୂରତା ନିୟମ

ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣା କରିଥିଲେ। ଏଥିସହ ସମସ୍ତଙ୍କୁ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦେବଗଡ଼ରେ ବ୍ୟାଙ୍କ ପ୍ରତିଷ୍ଠାନମାନଙ୍କରେ ଏହାକୁ ଖଲମଖୁଲା ଚ୍ୟାଲେଞ୍ଜ କରାଯାଉଛି।

ଏହି କ୍ରମରେ ଆଜି ପୂର୍ବାହ୍ନରେ ପ୍ରବଳ ଖରାସତ୍ତେ୍ୱ ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି। ତେବେ ବ୍ୟାଙ୍କ ପରିସରରୁ ରାସ୍ତା ଯାଏଁ ବହୁ ପୁରୁଷ ଓ ମହିଳା ସାମଜିକ ଦୂରତ୍ୱକୁ ଫୁ’ କରି ଲମ୍ବା ଧାଡିରେ ଜାକି ହୋଇ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିୟୋଜିତ ସୁରକ୍ଷା କର୍ମୀମାନେ ଖରାରୁ ନିଜକୁ ରକ୍ଷା କରିବା ପାଇଁ  ବ୍ୟାଙ୍କ ମଧ୍ୟରେ ଥିବା ଏସି କୋଠରୀରେ ବସି ରହିଥିବା ବେଳେ ଜନସାଧାରଣ ପ୍ରବଳ ଖରାରେ ରାସ୍ତା ଉପରେ ସାମାଜିକ ଦୂରତାକୁ ଭୂଲି ଛିଡା ହୋଇଥିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ବାହାରେ ଛିଡା ହୋଇଥିବା ସମସ୍ତ ଗ୍ରାହାକଙ୍କୁ ବ୍ୟାଙ୍କ ମଧ୍ୟକୁ ପଶିବାର ଅନୁମତି ଦେବା ପରେ ବ୍ୟାଙ୍କ ମଧ୍ୟରେ ପ୍ରବଳ ଜନଗହଳି ହୋଇଥିଲା। ତେବେ କୌଣସି ବ୍ୟବସାୟୀ ପ୍ରତିଷ୍ଠାନ ସାମାଜିକ ଦୂରତାକୁ ପାଳନ ନକଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ ହେଉଥିବା ବେଳେ ବ୍ୟାଙ୍କ ପ୍ରତିଷ୍ଠାନଗୁଡିକ ସାମାଜିକ ଦୂରତା ନିୟମକୁ ପାଳନ କରୁ ନଥିବାରୁ ସେମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ପୋଷଣ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।