ଲକଡାଉନ୍ ବଢ଼ିପାରିବ କି : ମୋଦୀ

ନୂଆଦିଲ୍ଲୀ : କରୋନା ସଙ୍କଟ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ରାଜ୍ୟଗୁଡିକ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ଏହାଛଡା କେନ୍ଦ୍ର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେବା ସହ କହିଛନ୍ତି, କେନ୍ଦ୍ର ସବୁ ରାଜ୍ୟଙ୍କ ସହ ଠିଆ ହୋଇଛି । କେବଳ ଏତିକି ନୁହେଁ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଲକଡାଉନ୍ ବଢ଼ିପାରିବ କି ଏଥିନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ମୋଦୀ। ତେବେ ଆଲୋଚନାରେ ସାରା ଦେଶରେ ଜାରି ରହିଥିବା ତାଲାବନ୍ଦ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଜନତା ତାଲାବନ୍ଦକୁ ଅଣଦେଖା କରି ବାହାରେ ବୁଲାବୁଲି କରୁଛନ୍ତି । ଏପରି କଲେ ଗୋଷ୍ଠୀ ସଙ୍କ୍ରମଣର ଆଶଙ୍କା ଅଧିକ ରହିଛି । ସବୁ ରାଜ୍ୟରେ କିପରି ଲକଡାଉନକୁ ସଠିକ ଭାବରେ ପାଳନ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଶ୍ରମିକମାନଙ୍କୁ କିପରି ସମୂହ ପଳାୟନରୁ ରୋକାଯିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯାଉ ।