ଲକଡାଉନ୍ କଟକଣାରେ ମଦ ଦୋକାନ ଖୋଲା

ବୌଦ୍ଧ,ଏନ୍ଏନ୍ଏସ୍ : ସାରାଦେଶ ଲକ ଡାଉନରେ ରହିଥିବାବେଳେ କେବଳ ଜରୁରୀ ସାମଗ୍ରୀ ଦୋକାନ ଗୁଡିକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଲକଡାଉନକୁ ଆହୁରି କଡ଼ାକଡ଼ି କରାଯିବା ସହିତ ଜିଲ୍ଲାର ସୀମାକୁ ସିଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବୌଦ୍ଧ ଜିଲ୍ଲାର ମଦ ଦୋକାନଗୁଡିକ ହଠାତ୍ ସୋମବାର ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ତେବେ ସରକାର କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଥିବାବେଳେ ଏବଂ ପ୍ରତ୍ୟେକ ରାସନ ଦୋକାନ ଓ ଦୈନିକ ବଜାର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବାବେଳେ ମଦ ଦୋକାନ ଗୁଡିକରେ ଗ୍ରାହକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ମଦ ଦୋକାନ ଖୋଲାଥିବା ଓ ପ୍ରବଳ ଜନଗହଳି ଦେଖି ବୌଦ୍ଧଥାନା ପକ୍ଷରୁ ଚଢ଼ଉ କରାଯାଇଥିଲା। କିନ୍ତୁ ଲକଡାଉନ୍ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି କିଏ ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଡ. ଶାନ୍ତନୁ କୁମାର ଦାଶଙ୍କୁ ପଚାରିବାରେ ୨୯ ତାରିଖ ରାତି ପର୍ଯ୍ୟନ୍ତ ମଦଦୋକାନ ବନ୍ଦ ରଖାଯିବାକୁ ସରକାରୀ ନିର୍ଦ୍ଦେଶନାମା ରହିଥିବାବେଳେ ଭୁଲ୍ ବୁଝାମଣା ଯୋଗୁଁ ଆଜି ସକାଳୁ ମଦ ଦୋକାନଗୁଡ଼ିକ ଖୋଲାଥିଲା। ତେବେ ଏ ସମ୍ପର୍କରେ ସୂଚନା ପାଇବାପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତୁରନ୍ତ ମଦଦୋକାନ ଗୁଡିକୁ ସିଲ କରାଯାଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଲକଡାଉନ୍ ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବାବେଳେ ମଦ ଦୋକାନ ଗୁଡିକ କିପରି ଖୋଲାଗଲା ତାହା ତଦନ୍ତ ସାପେକ୍ଷ। ତେବେ ସୂଚନା ଅନୁଯାୟୀ ଲକଡାଉନ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଥିବାବେଳେ ଜିଲ୍ଲାରେ କୁଚିଆ ମଦର କାରବାର ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି।

ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ବିଦେଶୀ ମଧ୍ୟ ଗଛିତ ରଖି କୁଚିଆମାନଙ୍କ ଦ୍ୱାରା ଗ୍ରାହକମାନଙ୍କୁ ଚଢ଼ାଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ତେବେ କିଛି ସମୟ ପାଇଁ ମଦ ଦୋକାନ ଖୋଲାଥିବା ଯୋଗୁଁ ଗ୍ରାମଗୁଡିକରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସଙ୍କଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଗ୍ରାମଗୁଡିକରେ ଲକଡାଉନ୍ ନାମରେ ରାସ୍ତା ବନ୍ଦ କରାଯାଇଥିବାବେଳେ କିଛି ଗ୍ରାମରେ ପ୍ରବଳମାତ୍ରାରେ କୁଚିଆ ମଦ କାରବାର ବୃଦ୍ଧି ପାଇଛି। ଜିଲ୍ଲା ପୁଲିସ ବିଭାଗରେ କର୍ମଚାରୀ ଅଭାବ ରହିଥିବାବେଳେ ପ୍ରତ୍ୟେକ ଗ୍ରାମରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିବା ସମ୍ଭବ ହୋଇପାରୁନଥିବା ଓ ଥାନା ଅଧିକାରୀମାନେ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଥିବା ଜଣାଯାଇଛି। ଲକଡାଉନ ସମୟରେ ପୁଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ନରହିଲେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାର ସମ୍ଭାବନା ରହିଛି।