ଲକ୍ ଡାଉନ ସମସ୍ୟା : ୧୦୦କୁ ଡାଏଲ କଲେ ଦୂର ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲକଡାଉନ ବେଳେ ଲୋକେ କୌଣସି ଅସୁବିଧାରେ ପଡିଥିଲେ କିମ୍ବା ଜରୁରୀକାମ ଥିଲେ ୧୦୦କୁ ଡାଏଲ କରି ନିଜ ସମସ୍ୟାର ସମାଧାନ କରିପାରିବେ। ହସପିଟାଲ ଯାଉଥିଲେ ସେମାନଙ୍କୁ କୌଣସି ଜାଗାରେ ଅଟକା ଯିବନାହିଁ। ଯଦି କୌଣସି ଜାଗାରେ କେହି ସେମାନଙ୍କୁ ଅଟକାଉଛନ୍ତି, ତେବେ ସେମାନେ ମଧ୍ୟ ୧୦୦କୁ ଡାଏଲ କରିପାରିବେ ବୋଲି ପୁଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଲକଡାଉନ ବେଳେ ହସପିଟାଲ ଯାଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପୁଲିସ ଅଟକାଇ ମାଡ ମାରୁଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ କମିଶନର ଶ୍ରୀଷଢଙ୍ଗୀ କହିଛନ୍ତି, କେହି ପୁଲିସ କର୍ମଚାରୀ ଯଦି ରୋଗୀମାନଙ୍କୁ ବାଟରେ ଅଟକାନ୍ତି, ତା ହେଲେ ରୋଗୀଙ୍କ ସଂପର୍କିୟମାନେ ତୁରନ୍ତ ୧୦୦କୁ ଡାଏଲ କରିପାରିବେ। ବିଭିନ୍ନ ଛକମାନଙ୍କରେ ୬୪ ହଜାର ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ସମସ୍ତେ ହୁଏତ ସମସ୍ୟା ବୁଝି ପାରିବେନି, ତେଣୁ ୧୦୦କୁ ଫୋନ କଲେ ସମସ୍ୟାର ସମାଧାନ ହୋଇପାରିବ।

୧୦୦କୁ ଫୋନ୍ କଲେ, ଭିଏଚଏଫ ଜରିଆରେ ସେମାନଙ୍କ ପାଖକୁ ବାର୍ତ୍ତା ପଠାଇ ଦିଆଯିବ। ପରେ ସେମାନେ ବିନାଦ୍ୱଧାରେ ଛାଡି ଦେବେ। ଯଦି ଔଷଧ ପ୍ରେସକ୍ରିପସନ୍ ଅଛି, ଔଷଧ ଆଣିବାକୁ ଯିବା ବେଳେ ୧୦୦କୁ ଫୋନ୍ କରନ୍ତୁ। ୧୦୦କୁ ଫୋନ୍ କଲେ ସେମାନେ ଏସଏମଏସ୍ ଦେବେ, ତାକୁ ଦେଖାଇ ରୋଗୀଙ୍କ ସଂପର୍କିୟମାନେ ଯାଇପାରିବେ। ସେହିପରି ସଂପର୍କିୟଙ୍କ ମୃତ୍ୟୁ ହେଲେ, ଶେଷ ଦର୍ଶନରେ ଯିବାକୁ ହେଲେ ମଧ୍ୟ୧୦୦କୁ ଫୋନ୍ କରନ୍ତୁ। ୧୦୦କୁ ଫୋନ୍ କଲେ ପୁଲିସ କର୍ମଚାରୀ ସେମାନଙ୍କୁ ଯିବାରେ ସହାୟତା ଯୋଗାଇ ଦେବେ।