ନୂଆଦିଲ୍ଲୀ: ପାକିସ୍ତାନ ପାର୍ଶ୍ୱ ନିୟନ୍ତ୍ରଣରେଖା ପରିସ୍ଥିତି ସଙ୍ଗୀନ ରହିଛି। ଭାରତକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେନାଧ୍ୟକ୍ଷ ଜେନେରାଲ୍ ବିପିନ ରାୱତ କହିଛନ୍ତି। ଯେକୌଣସି ସମୟରେ ନିୟନ୍ତ୍ରଣରେଖାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜେନେରାଲ୍ ରାୱତ ବୁଧବାର ଏଠାରେ କହିଛନ୍ତି। ସେ କହିଛନ୍ତି, ନିୟନ୍ତ୍ରଣରେଖାରେ ପାକିସ୍ତାନୀ ସେନାର ଗତିବିଧି ଉପରେ ସତର୍କ ନଜର ରଖାଯାଇଛି।
ପାକିସ୍ତାନର ବର୍ଡର ଆକ୍ସନ ଟିମ୍ (ବ୍ୟାଟ୍) ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ପୋଷ୍ଟଗୁଡ଼ିକ ଉପରେ ବାରମ୍ବାର ଗୁଳିଗୋଳା ମାଡ଼ କରୁଛି। ଦିନେ ଛାଡ଼ି ଦିନେ ବ୍ୟାଟ୍ ଏଭଳି ଆକ୍ରମଣ କରୁଛି। ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରଠାରୁ ପାକିସ୍ତାନୀ ସେନା ଏଭଳି ଆକ୍ରମଣ କରୁଛି। ଭାରତୀୟ ସେନା ଏହାର ଦୃଢ଼ ପାଲଟା ଜବାବ ଦେଉଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିଛି।
ଚଳିତବର୍ଷ ପାକ୍ ସେନା ସର୍ବାଧିକ ୨୯ ଶହ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ରେକର୍ଡ କରାଯାଇଛି। ୨୦୦୩ ପରେ କେବେବି ଏଭଳି ଘଟିନଥିଲା। ୨୦୧୭ରେ ପାକ୍ ସେନା ୯୭୧ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲାବେଳେ ୨୦୧୮ରେ ୧୬୨୯ ଥର ଉଲ୍ଲଙ୍ଘନ କରିଥିଲା।
ଦୁଇଦେଶର ସେନା ସୀମାରେ ପରସ୍ପରକୁ ମୁକାବିଲା କଲାବେଳେ ଉଭୟ ମୋର୍ଟାର ପ୍ରୟୋଗ କରିବା ସହ ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ର ଓ କମାଣ ବ୍ୟବହାର କରୁଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ଖାଇବର-ପାଖତୁନଖ୍ୱାର ବାଲାକୋଟରେ ଜୈସ-ଇ-ମହମ୍ମଦର ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିବା ପରଠାରୁ ନିୟନ୍ତ୍ରଣରେଖାରେ ଦୁଇଦେଶର ସେନା ଏହିଭଳି ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।