ରଖେ ହରି ତ ମାରେ କିଏ; ମାଟି ତଳୁ ବାହାରିଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ : ହଜିଗଲା ମାନବିତା। ନିଜ ଜନ୍ମକଲା ଶିଶୁକୁ ଛାଡ଼ି ଚାଲିଗଲେ ବାପା ମା’। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ସିର୍ଦ୍ଧାଥ ନଗରରେ। ଶିଶୁକୁ ଜନ୍ମ ଦେବା ପରେ ଜୀବନ୍ତ ଅବସ୍ଥାରେ ମାଟି ତଳେ ପୋତି ଦେଇ ଚାଲି ଯାଇଥିଲେ ବାପା ମା’। ହେଲେ ଭାଗ୍ୟର ବିଡ଼ମ୍ବନା ରଖେ ହରି ତ, ମାରେ କିଏ। ଯାହାକୁ ଦଇବ ସାହା ତା’ର ବା ଅନ୍ୟ କିଏ ବା କ’ଣ କରିବ ବୋଲି ଲୋକକଥା ଅଛି।

ଜୋଗିଆ ଅଞ୍ଚଳର ସୋନାଉରା ଟୋଲା ଗାଁ’ରେ ଘନଶ୍ୟାମ ନାମକ ଜଣେ ବ୍ୟକ୍ତିଙ୍କ ଘର କାମ ଚାଲିଥିଲା। ଶ୍ରମିକମାନେ ମାଟି ଖୋଳୁଥିଲେ। ଏହି ସମୟ ମଧ୍ୟରେ ସେ ଏକ ଶିଶୁ କାନ୍ଦିବାର ଶବ୍ଦ ଶୁଣିଥିଲେ। ଯେତେବେଳେ ଶ୍ରମିକମାନେ ସ୍ୱର ଶୁଣିବା ପରେ ମାଟି ଖୋଳି ଚାଲିଥିଲେ। ଗ୍ରାମବାସୀ ମାଟି ଖୋଳିବା ମାତ୍ରେ ସେମାନେ ଯାହା ଦେଖିଲେ ହୋସ୍ ଉଡ଼ିଗଲା । ମାଟି ଖୋଳିବା ମାତ୍ରେ ପିଲାଟିର ହାତ ଦୃଶ୍ୟମାନ ହେଲା । ମାଟି ତଳୁ ଏକ ନବଜାତ ଶିଶୁକୁ ପାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋକମାନେ ଶିଶୁଟିକୁ ବାହାର କରି ତୁରନ୍ତ ପୋଲିସକୁ ଜଣାଇଲେ। ଏହା ପରେ ନବଜାତ ଶିଶୁକୁ ଡାକ୍ତରଖାନା ପଠାଯାଇଥିଲା। ମାଟି ତଳେ ପୋତି ଦିଆଯିବା ସତ୍ୱେ ନବଜାତ ଶିଶୁ ସୁରକ୍ଷିତ ଅଛି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।  ଦାୟିତ୍ୱରେ ଥିବା ମେଡିକାଲ୍ ଅଫିସର ମନଭେନ୍ଦ୍ର ପାଲଙ୍କ କହିବାନୁସାରେ, ନବଜାତ ଶିଶୁକୁ ଦେଖିଲେ ଏହା ଜଣାପଡଯେ, ସେ କିଛି ସମୟ ପୂର୍ବରୁ ଜନ୍ମ ହୋଇଥିଲେ । ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ କିଛି କାଦୁଅ ନବଜାତ ଶିଶୁର ଶ୍ୱାସକ୍ରିୟାରେ ପଶିଯାଇଛିି ଯାହା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଶିଶୁଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଠିକ୍ ଅଛି ।

ଡାକ୍ତର କହିଛନ୍ତି ଯେ, ନବଜାତ ଶିଶୁକୁ ଦେଖିବା ପରେ ଜଣାପଡେ ଯେ ଜନ୍ମର କିଛି ଘଣ୍ଟା ମଧ୍ୟରେ ଶିଶୁକୁ ମାଟିରେ ଚାପି ଦିଆଯାଇଥିଲା । ଗାଁ’ର ଦା୍ୱରିକାଙ୍କ ପତ୍ନୀ ଲକ୍ଷ୍ମୀ ନବଜାତ ଶିଶୁକୁ ଗ୍ରହଣ କରିବାକୁ ଆସିଛନ୍ତି। ସେ ଏକ ନବଜାତ ଶିଶୁକୁ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏହି ମାମଲାରେ ଜୋଗିଆ ପୋଲିସ ଷ୍ଟେସନ ଇନଚାର୍ଜ ଅଞ୍ଜନୀ ରାୟ କହିଛନ୍ତି ଯେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।