କୋଭିଡ୍ ସମୟରେ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ଜୀବିକା ସହଯୋଗ

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ୍ ସମୟରେ ହସ୍ତତନ୍ତ ବୁଣାକାର ଓ ହସ୍ତଶିଳ୍ପୀ କାରିଗର ମାନଙ୍କ ଜୀବିକା ସହଯୋଗିତା ନିମନ୍ତେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା ପଦକ୍ଷେପମାନ ନେଇଛନ୍ତି। ଏପ୍ରିଲ୍- ମେ ମାସ ଠାରୁ ଲଗାତାର ଭାବେ ବୁଣାକାର ଓ କାରିଗରମାନଙ୍କ ଠାରୁ ବିଭିନ୍ନ ସରକାରୀ ପ୍ରାୟୋଜିତ ସଂସ୍ଥା ମାଧ୍ୟମରେ ଉତ୍ପାଦ କ୍ରୟ କରାଯିବା ସହ ବିଭାଗ ମାଧ୍ୟମରେ ଅଧିକ କର୍ମ-ଦିବସ ସୃଷ୍ଟି, କର୍ମ ନିୟୋଜନ ଓ ଅନ୍ୟାନ୍ୟ ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।
ରାଜ୍ୟ ଲୋକସେବା ଭବନ ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସଚିବ ଡ଼ଃ ଶୁଭା ଶର୍ମା ସହାୟତାମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। କୋଭିଡ୍ କାଳରେ ବୁଣାକାର ଓ କାରିଗରଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଟସର ଚାଷ ମାଧ୍ୟମରେ ଅଧିକ ଜୀବିକା ଓ ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଟସର ଚାଷ ଅଧିକ କର୍ମ ଦିବସ ସୃଷ୍ଟି କରେ ଏବଂ ଟସର-କୋଷର ମଧ୍ୟ ଅଧିକ ବଜାର ଚାହିଦା ରହିଛି। ମନରେଗା ଯୋଜନା ସହ ସମନ୍ୱିତଭାବେ ଟସର ଚାଷ ବୃଦ୍ଧି କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଅଜୁର୍ନ ଏବଂ ଅସନ ବୃକ୍ଷ ଟସର ପୋକଙ୍କର ପ୍ରାକୃତିକ ଖାଦ୍ୟ ଓ ପ୍ରଜଜନ ସ୍ଥାନ।

ଏଗୁଡିକ ଜଙ୍ଗଲୀ କିସମ ବୃକ୍ଷ। ତେଣୁ ଜଙ୍ଗଲ ଓ ପରିବେଶ ବିଭାଗ ମାଧ୍ୟମରେ ଜଙ୍ଗଲ ଜମିରେ ଅଧିକରୁ ଅଧିକ ଅସନ ଓ ଅର୍ଜୁନ ଗଛ ଲଗାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଶାସନ ସଚିବ ଡ଼ଃ ଶର୍ମା ଜଣାଇଥିଲେ ଯେ ଚଳିତ ବର୍ଷ ଏପ୍ରିଲ ରୁ ସେପ୍ଟେମ୍ବର ଟସର ଋତୁରେ ଟସର ଚାଷ ମାଧ୍ୟମରେ ୧୧ ଲକ୍ଷ ମାନବ-ଦିବସ ସୃଷ୍ଟି କରାଯାଇ ଚାଷୀମାନଙ୍କୁ ମଜୁରୀ ବାବଦରେ ପ୍ରାୟ ୨୪.୫୩ କୋଟି ଟଙ୍କା ପୈଠ କରାଯାଇଛି। ଏହାଛଡା ସାହାଇ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ମାଧ୍ୟମରେ ୪୪୦୦ ଲୋକଙ୍କୁ ପ୍ରତ୍ୟକ୍ଷ କର୍ମନିୟୋଜନ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ହାରାହାରି ୮୭% ଭାଗ ମହିଳା ବୟନ ଶିଳ୍ପୀ। ପ୍ରାୟ ୧୨୬୭ ଜଣ ବୟସ୍କ ବୁଣାକାର ଓ କାରିଗର ମାନଙ୍କୁ ସେମାନଙ୍କର ବୟସ ଅନୁସାରେ ମାସିକ ୫୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଆଥିର୍କ ସହାୟତା ଦିଆଯାଇଛି। ଏହାଛଡା, ବୁଣାକାର ଏବଂ ହସ୍ତଶିଳ୍ପୀ ମାନଙ୍କୁ କାର୍ଯ୍ୟ-ଶାଳା, ଯନ୍ତ୍ରପାତି ଓ ସରଞ୍ଜାମ, ଋଣ ସଂଯୋଗ ଏବଂ କଞ୍ଚାମାଲ୍ ବ୍ୟାଙ୍କ୍ ଆଦିର ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଡ଼ଃ ଶର୍ମା କହିଥିଲେ।

ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ଜଣାଇଥିଲେ ଯେ କୋଭିଡ୍ ସମୟ ମଧ୍ୟରେ ବୁଣାକାର ଓ ହସ୍ତଶିଳ୍ପୀ ମାନଙ୍କଠାରୁ ସରକାରୀ ପ୍ରାୟୋଜିତ ସଂସ୍ଥା ମାଧ୍ୟମରେ ପ୍ରାୟ ୧୩୨.୨୯ କୋଟି ଟଙ୍କା ମୂଲ୍ୟର ଉତ୍ପାଦ କିଣାଯାଇଛି। ସେଥି ମଧ୍ୟରୁ ବୟନିକା ୨୫.୯୬ କୋଟି ଟଙ୍କା, ସମ୍ବଲପୁରୀ ବସ୍ତ୍ରାଳୟ ୨୬.୨୨ କୋଟି ଟଙ୍କା, ସେରିଫେଡ୍ ୦.୪୯ କୋଟି ଟଙ୍କା ଏବଂ ଉତ୍କଳିକା ୨.୦୬ କୋଟି ଟଙ୍କାର ଉତ୍ପାଦ କ୍ରୟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ରୟ ଚାଲୁ ରହିଛି। ଆଗାମୀ ମାସ ମାନଙ୍କରେ ଅଧିକ ୩୦ କୋଟି ଟଙ୍କାର ଉତ୍ପାଦ କିଣାଯିବ ବୋଲି ଶ୍ରୀ ପୃଷ୍ଟି ଜଣାଇଥିଲେ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ବିଭାଗୀୟ ଶାସନ ସଚିବ ଡ଼ଃ ଶର୍ମା ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।