ମଦଭାଟି ଉପରେ ଚଢ଼ଉ, ବିପୁଳ ଦେଶୀମଦ ଓ ପୋଚ ନଷ୍ଟ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ପୁଲିସ ଏବଂ ଅବକାରୀ ବିଭାଗ ଏବେ ଅଣ୍ଟା ଭିଡ଼ିଛି ମଦୁଆଙ୍କୁ ସାବାଡ଼ କରିବା ପାଇଁ । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବ୍ୟାପକ ବେଆଇନ ଦେଶୀ ମଦରନ୍ଧା ଯାଉଥିବା ଖବର ପାଇ ଉଭୟଙ୍କ ପକ୍ଷରୁ ଅଚାନକ ଚଢଉ କରାଯାଇଥିଲା। ସୋମବାର ଅବକାରୀ ବିଭାଗର ଗୁଇନ୍ଦା ସୁତ୍ରରୁ ଖବର ପାଇ ପୁଟାସିଂ ଥାନା ଅନ୍ତର୍ଗତ ରୁପାପଦର ଗାଁ ଉପରେ ଚଢ଼ଉ କରିଥିଲେ ।

ଗାଁ ଠାରୁ କିଛି ଦୁରରେ ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ଦେଶୀମଦ ସହ ମହୁଲ ପୋଚ ଲୁଚାଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଏବଂ ଅବକାରୀ ସ୍କ୍ୱାଡ୍ କୁ ଦେଖି ମଦ ବେପାରିମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଏହି ଟିମ ୩ଶହ ଲିଟର ମହୁଲ ପୋଚ ସହିତ୨୦ଟି ଜାରକିନରେ ଥିବା ୬୦୦ ଲିଟର ପ୍ରସ୍ତୁତ ଦେଶୀମଦକୁ ନଷ୍ଟ କରିଥିଲେ। ତାସହିତ ମଦ ରାନ୍ଧିବା ଉପକରଣ ସହିତ ପୋଚ ପାଇଁ ବ୍ୟବହୃତ ପ୍ଲାଷ୍ଟକ ଡ୍ରମଗୁଡ଼ିକୁ ଜବତ କରିଛନ୍ତିି ।

ତେବେ ଆଗାମୀ ଦିନରେ ଜିଳ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ରୋକିବା ପାଇଁ ଏଭଳି ଅଚାନକ ଚଢ଼ଉ କରାଯିବ ବୋଲି ରାୟଗଡ଼ା ଅବକାରୀ ଅଧିକ୍ଷକ ଦଣ୍ଡପାଣୀ ବେହେରା କହିଛନ୍ତି।