ଆଜିଠାରୁ କାଉଣ୍ଟରରେ ମିଳିବ ମଦ, ସ୍ଲଟ୍ ବୁକ୍ ପରେ ଦିଆଯିବ ଟୋକନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଆଜିଠାରୁ କାଉଣ୍ଟରରେ ମଦ ବିକ୍ରି ଆରମ୍ଭ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ମଦ ବିକ୍ରି ହେବ। ସେହିପରି ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ମଦ ମିଳିବ ନାହିଁ। କାଉଣ୍ଟରରେ ବିଦେଶୀ ମଦ ସହିତ ବିୟର ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିବେ, ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ସମୟରେ ମଦ କାଉଣ୍ଟରରେ ହେବାକୁ ଥିବା ଭିଡ଼କୁ ଏଡ଼ାଇବା ପାଇଁ ଇ-ଟୋକନ୍ ଜରିଆରେ ମଦ ବିକ୍ରି କରିବାକୁ ନିଷ୍ପତି ହୋଇଛି। ଓଡ଼ିଶା ମଦ ନିଗମ ପୋର୍ଟାଲରେ ସ୍ଲଟ୍ ବୁକିଂ କରି ଗ୍ରାହକମାନେ ଟୋକନ୍ ପାଇପାରିବେ। ପରେ ସେହି ଟୋକନ୍ ନେଇ କାଉଣ୍ଟରକୁ ଯାଇ ମଦ ଆଣିପାରିବେ। ସେହିପରି ଗ୍ରାହକମାନେ କିପରି ମଦ ନିଗମ ପୋର୍ଟାଲରୁ ସ୍ଲଟ୍ ବୁକିଂ କରିବେ ଓ ଇ-ଟୋକନ୍ ଡାଉନଲୋଡ କରିବେ, ସେନଇ ଦୋକାନୀ କାଉଣ୍ଟର ବାହାରେ ସୂଚନା ବୋର୍ଡରେ ଦର୍ଶାଇବେ।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କାଉଣ୍ଟର ସାମ୍ନାରେ ଭିଡ଼ ନ କରିବା ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଆବଶ୍ୟକ ସ୍ଥଳେ କାଉଣ୍ଟର ସାମ୍ନାରେ ବ୍ୟାରିକେଡ୍ କରିବାକୁ କୁହାଯାଇଛି। ଏହାସହ ମଦ କାଉଣ୍ଟରର ସମସ୍ତ କର୍ମଚାରୀ ଯେମିତି ମାସ୍କ ପିନ୍ଧିବେ, ସେନେଇ ମାଲିକ ଧ୍ୟାନ ଦେବେ। ପୂର୍ବ ପରି ମଦର ହୋମ୍ ଡେଲିଭରି ଜାରି ରହିବ।

ମଦଦୋକାନରେ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ‘ଅନ୍’ ସପ୍ ଗୁଡ଼ିକ ‘ଅଫ୍’ ସପ୍ ଭାବେ ବିକ୍ରି କରିପାରିବେ। ଏହାସହ ‘ଅନ୍’ ସପ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ‘ଅଫ୍’ ସପର ସମସ୍ତ ନିୟମ ମାନିବାକୁ ପଡ଼ିବ। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଅଧିକ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ। ଏହାସହ ଦୋକାନ ସାମ୍ନାରେ ଗ୍ରାହକ ଯେମିତି ଭିଡ଼ ନକରିବେ, ସେ ନେଇ ମଦଦୋକାନୀ କର୍ମଚାରୀ ଦେବେ। ଯଦି କୌଣସି କାଉଣ୍ଟର ଏହି ନିୟମ ଉଲ୍ଲଙ୍ଘନ କରନ୍ତି, ସେହି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯିବ ବୋଲ କୁହାଯାଇଛି।