କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନା ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଢ଼ାବାରେ ହେଉଥିବା ବେଆଇନ ମଦ କାରବାରକୁ ଧରିବାରେ ସକ୍ଷମ ହୋଇଛି। ଗତକାଲି ସନ୍ଧ୍ୟା ସମୟରେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଏବଂ ଥାନାଧିକାରୀ ଜଗଦୀଶ ବାରାଙ୍କ ନିର୍ଦେଶକ୍ରମେ ଦୁଇଟି ଟିମ ଗଠନ କରି ଏକା ସମୟରେ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇଥିଲା।
ଏସଆଇ କୃଷ୍ଣା କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସଦଳବଳେ ବାଲିମେଳା ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଶିବଶକ୍ତି ହୋଟେଲରୁ ୩୩.୩ଲିଟର ବିଦେଶୀ ମଦ ଜବତ ହୋଇଛି। ଏବଂ ହୋଟେଲ ମାଲିକ ସୁବାସ ପଣ୍ଡା(୬୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି।
ଅନ୍ୟପଟେ ସେପରି ଭାବେ ଏସଆଇ ନୀଳାଦ୍ରି ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ବାଲିମେଳା ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ଢ଼ାବାରୁ ମଧ୍ୟ ୧୧ ଲିଟର ୪୦୦ ମିଳିଲିଟର ବିଦେଶୀ ମଦ ଜବତ ହୋଇଛି। ଗତ ନଭେମ୍ବର ମାସ ୧୨ ତାରିଖରେ ଏହି ଢ଼ାବାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇ ଢ଼ାବା ମାଲିକକୁ ଗିରଫ କରାଯାଇଥିଲା।
ତଥାପି ଢ଼ାବା ମାଲିକ ପୋଲିସକୁ ଖାତିର ନ କରି ତାପରେ ପୁଣି ନିଜ ମଦ ବ୍ୟବସାୟ ଆରମ୍ଭ କରିଥିଲା। ତେଣୁ ବର୍ତ୍ତମାନ ପୋଲିସ ପୁଣିଥରେ ଖବର ପାଇ ଗତକାଲି ସନ୍ଧ୍ୟା ସମୟରେ ବାଲିମେଳା ଛକ ନିକଟରେ ଥିବା ଲକ୍ଷ୍ମୀନାରାୟଣ ଢ଼ାବା ମାଲିକ କୃଷ୍ଣମୋହନ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ.କେ ଦାସ ସୂଚନା ଦେଇଛନ୍ତି।