ଝାରସୁଗୁଡା,ଏନ୍ଏନ୍ଏସ୍ : ସମ୍ବଲପୁର ଠେଲକୁଲି ଅଂଚଳରୁ ଝାରସୁଗୁଡା ଜିଲ୍ଲାକୁ ମଦ ଚାଲାଣ ହେଉଥିବା ବେଲେ ଆଜି ବଡମାଲ ପୁଲିସ ୭୦ ଲିଟର ଦେଶୀ ମଦ ଜବତ କରିଛି। ଏହାସହ ମଦ ଚାଲାଣ ହେଉଥିବା ଗାଡକୁ ଜବତ କରିଛି।
ସୂଚନା ଅନୁଯାୟୀ, ଲକ ଡାଉନ ସମୟରେ ଭାଟି ଓ ମଦ ଦୋକାନ ବନ୍ଦ ଥିବାରୁ ପ୍ରତିଦିନ ରାତିରେ ଠେଲକୁଲି ଅଂଚଳରୁ ବଡମାଲ ଦେଇ ବିପୁଳ ପରିମାଣରେ ମଦ ଝାରସୁଗୁଡାକୁ ଆସୁଥିଲା। ଏନେଇ ପୁଲିସ ଖବର ପାଇ ମଦ ଚାଲଣକୁ ରୋକିବା ପାଇଁ ଶୁକ୍ରବାର ରାତିରେ ବଡମାଲ ନିକଟରେ ସଜାଗ ରହିଥିଲା।
ରାତି ପ୍ରାୟ ୨ଟାରେ ଜଣେ ବ୍ୟକ୍ତି ବାଇକରେ ମଦ ନେଇ ଯାଉଥିବା ସମୟରେ ପୁଲିସ ତାକୁ ଗୋଡାଇଥିଲା। ପୁଲିସ ଭୟରେ ବ୍ୟକ୍ତି ଜଣକ ବାଇକ ଓ ମଦ ଛାଡି କୁଆଡେ ଫେରାର ହୋଇ ଯାଇଥିଲା। ତେବେ ବଡମାଲ ପୁଲିସ ବାଇକ ଓ ମଦ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ଗାଡିଟି ନିବାସ ଓରାମ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥିବାବେଳେ ପୂର୍ବରୁ ମଦ ଚାଲାଣ କରି ସେ ପୁଲିସ ହାତରେ ଧରା ପଡିଥିବା ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।