ଲିଙ୍ଗରାଜ ମନ୍ଦିର ଚାରିପଟରୁ ହଟିବ ଜବର ଦଖଲ

ପୁରୀ ପରେ ଏବେ ଏକାମ୍ର ଭୁବନେଶ୍ୱର ଉଚ୍ଛେଦ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଜବରଦଖଲ। ଏନେଇ ଆଜି ସ୍କ୍ୱାଡ଼ ପକ୍ଷରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା । ସେପଟେ ଚିହ୍ନଟ ପ୍ରକ୍ରିୟାରୁ ଜବରଦଖଲକାରୀଙ୍କ ଛାତିରେ ଛନକା ପଶିଲାଣି । କିନ୍ତୁ ପର୍ୟ୍ୟଟକମାନେ ଏହାକୁ ସ୍ୱାଗତ କରିଛନ୍ତି। ଖୁବ୍ ଶୀଘ୍ର ଆସିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଆଇନ୍ । ଶ୍ରୀମନ୍ଦିର ଢାଞ୍ଚାରେ ହେବ ସୌନ୍ଦର୍ୟ୍ୟକରଣ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ବେଆଇନ୍ ନିର୍ମାଣ ତଥା ଜବରଦଖଲ କେତେ ଅଛି ସେନେଇ ଆରମ୍ଭ ହୋଇଛି ଚିହ୍ନଟ। ବିଏମ୍ସି, ବିଡିଏ, ସାଧାରଣ ପ୍ରଶାସନ, ଆର୍ ଆଣ୍ଡ ବି ଓ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ନେଇ ଗଠିତ ସ୍କ୍ୱାଡ଼ ଆଜି ମନ୍ଦିରର ଜମି ସର୍ଭେ କାମ ଆରମ୍ଭ କରିଛନ୍ତି ।
ସିଂହଦ୍ୱାର ସମ୍ମୁଖରେ ଥିବା ବେଆଇନ୍ ନିର୍ମାଣ ମପାଯାଇଛି। ସର୍ଭେର ପ୍ରଥମ ପର୍ୟ୍ୟାୟରେ ଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର ଓ କୋଟିତୀର୍ଥ ମନ୍ଦିର ଅଞ୍ଚଳକୁ ସାମିଲ୍ କରାଯିବ। ଲିଙ୍ଗରାଜଙ୍କ ଜମି ଥିବା ଦୁଇଟି ମୌଜା ଭୁବନେଶ୍ୱର ୟୁନିଟ ୨୭ ଓ ଗୌତମ ନଗର ୟୁନିଟ ୨୮ରେ ଜମି ଚିହ୍ନଟ କରାଯିବ। ଏହାପରେ ଟିମ୍ ଜବରଦଖଲ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଆତଙ୍କବାଦୀ ଆକ୍ରମଣ, ଯାତ୍ରୀଙ୍କ ସୁବିଧା, ଐତିହ୍ୟ ସୁରକ୍ଷା ତଥା ସୌନ୍ଦର୍ୟ୍ୟକରଣ ଲାଗି ଜମି ସର୍ଭେ କାମ ଆରମ୍ଭ ହୋଇଛି।