ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା ହୋଇଛି। ଭାରତୀୟ ମହିଳା ହକି ଦଳରୁ ଏହି ଅବସର ଘୋଷଣା କଲେ ଲିଲିମା ମିଞ୍ଜ। ଲିଲିମା ନିଜେ ସୋସିଆଲ ମିଡ଼ିଆ ରେ ହକିରୁ ଅବସର ନେଇ ଜଣେଇଛନ୍ତି। ସେପଟେ ଭାରତୀୟ ହକି ପାଇଁ ଲିଲିମାଙ୍କ ଭୂମିକା ବେଶ ଅଧିକ ଓ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଟୁଇଟ କରି ଜଣାଇଛି ହକି ଇଣ୍ଡିଆ।
ଲିଲିମା ମିଞ୍ଜ ଭାରତୀୟ ମହିଳା ହକି ଦଳର ଜଣେ ଅଭିଜ୍ଞ ମିଡ଼୍ ଫିଲଡ଼ର ଅଟନ୍ତି। କେବଳ ସେତିକି ନୁହେଁ ଦୁଇ ଥର ଏସିଆନ୍ ଗେମ୍ସ ପଦକ ବିଜେତା ଦଳର ସଦସ୍ୟ ଥିଲେ ଲିଲିମା। ୨୦୧୧ରୁ ଜାତୀୟ ଦଳରେ କ୍ୟାରିଅର ଆରମ୍ଭ କରିଥିବା ଲିଲିମା ମିଡଫିଲଡ଼ର ଭାବେ ଭାରତ ପାଇଁ ୧୫୬ ଟି ମ୍ୟାଚଖେଳିଛନ୍ତି। ଯେଉଁଥିରେ ତାଙ୍କ ନାଁରେ ୧୨ଟି ଅନ୍ତର୍ଜାତୀୟ ଗୋଲ ରହିଛି।
୨୦୧୬ ମସିହାର ରିଓ ଅଲିମ୍ପିକରେ ଲିଲିମାଙ୍କର ଯୋଗଦାନ ପାଇଁ ସମୁଦାୟ ପ୍ରସ୍ତୁତି ଖର୍ଚ୍ଚ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ। ୨୦୧୪ ମସିହାରେ ଭାରତୀୟ ମହିଳାମାନେ ଏସିୟ କ୍ରୀଡ଼ାରେ ମହିଳା ହକିରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସଦସ୍ୟା ଭାବରେ ଲିଲିମାଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।
୨୦୧୩ ମସିହାର ବିଶ୍ୱ ଜୁନିଅର ମହିଳା ହକି ଦଳର ସଦସ୍ୟା ଭାବରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବାରୁ ଓଡ଼ିଶାର ମହାନଦୀ କୋଇଲାଖଣି କର୍ତ୍ତୃପକ୍ଷ ତାଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।