ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ସାନଡ଼ଙ୍ଗାଘାଟ ଗ୍ରାମରେ ଆଜି ସନ୍ଧ୍ୟାରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଗାରୁଆ ମୁଣ୍ଡାଙ୍କ ସ୍ତ୍ରୀ କୁନି ମୁଣ୍ଡା (୩୫) ଜମିରୁ ଚାଷକାମ ସାରି ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ କୁନି ଓ ସାଙ୍ଗରେ ଥିବା ବୁଲବୁଲ ଦେହୁରୀ ନାମକ ଜଣେ ମହିଳା ଅଚେତ ହୋଇ ପଡିଯାଇଥିଲେ। କିଛିସମୟ ପରେ ବୁଲବୁଲ ଚେତା ଫେରିପାଇଥିବା ବେଳେ କୁନିଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।