କାଳବୈଶାଖୀରେ ଉଡିଗଲା ଆଜବେଷ୍ଟସ ଘର, ବଜ୍ରପାତରେ ଜଣେ ମୃତ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ଗୁରୁବାର ସକାଳୁ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ଘଡ଼ଘଡ଼ି ହେବା ଫଳରେ ବ୍ୟାପକ କ୍ଷତି ହୋଇଛି। ଏହାସହ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପାଟଣା ବ୍ଲକ୍ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତର ମାଧପୁର ଗ୍ରାମ ଧଉଳି ସାହିର ଆଶୀର୍ବାଦ ମହାନ୍ତଙ୍କ ପରିବାର ଆଜି ସକାଳୁ ରୋଷେଇ କରୁଥିବା ସମୟରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ଝଡ଼ ବର୍ଷା ହେବାରୁ ୨ ବଖରା ଆଜବେଷ୍ଟସ୍ ଘର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଛି।

ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନୁରୂପ ଭାବେ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମର ପୂର୍ଣ୍ଣ ନାଏକଙ୍କ ଘର ଉପରେ ଏକ ବଡ଼ ଗଛ ପଡିଯିବାରୁ ଆଜବେଷ୍ଟସ୍ ଭାଙ୍ଗିଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ପାଟଣା ରେଞ୍ଜ ଅଫିସ ରେ ଥିବା ଏକ କୃଷ୍ଣଚୁଡ଼ା ଗଛ ଭାଙ୍ଗିଯିବାରୁ ରାସ୍ତା ଅବରୋଧ ହୋଇଥିଲା। ବନ ବିଭାଗ ଗଛ କାଟି ରାସ୍ତା ସଫା କରିଛନ୍ତି । ସେପଟେ ବଜ୍ରପାତ ଯୋଗୁ ବାରିଆ ଥାନା ବାର୍ହାପଶି ଗ୍ରାମର ହୁକୁମ ଚନ୍ଦ୍ର ମହାନ୍ତ ଶୌଚ ହୋଇ ପୋଖରୀରୁ ଆସୁଥିବା ବେଳେ ବଜ୍ରପାତ ରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବାରିଆ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।