ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ। ଶୁକ୍ରବାର ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ବର୍ଷାର ଆଶଙ୍କା ରହିିଛି। ସେହିପରି କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ସାଙ୍ଗକୁ ଘନକୁହୁଡ଼ି ହେବାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨-୩ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ। କିଛି ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ଥିବା ବେଳେ ଏହି ସ୍ଥାନଗୁଡ଼ିକରେ ଥଣ୍ଡା ଅନୂଭୁତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବନୂମାନ କରିଛି।
ପାଣିପାଗ ବିଶେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିିଛି। ଖୋର୍ଦ୍ଧା ଓ ଏହାର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ହେବାଥିବା ବେଳେ ଉତ୍ତରରେ ଥିବା ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗଞ୍ଜାମ ଜିଲ୍ଲା ଓ ଏହାର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲକାରୁ ସ୍ୱଳ୍ପ ବର୍ଷା ହେବ। ଏଠାରେ ୨୦ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।
ସେହିପରି ଭୁବନେଶ୍ୱରରେ ୭ ଓ ୮ ତାରିଖରେ ୬-୮ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ଥିବା ବେଳେ ୯ ତାରିଖ ବେଳକୁ ପାଗ ଶୁଖିଲା ରହିବ। ସେହିପରି ପଶ୍ଟିମ ଓଡ଼ିଶାରେ ଶୁକ୍ରବାର ପ୍ରାୟ ୧୫ ମିମି ବର୍ଷା ହେବାର ଥିବା ବେଳେ ୮ ତାରିଖରେ ଏଠାରେ ପାଗ ଶୁଖିଲା ରହିବ। ଉତ୍ତର ଓଡ଼ିଶାରେ ମଧ୍ୟ ସମାନଭାବେ ୭ରେ ବର୍ଷା ହୋଇ ୮ ଓ ୯ ତାରିଖ ପାଗ କୋହଲା ରହିବ।