ଉଠାଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଭୁବନେଶ୍ୱର ଡିଭିଜନ କାର୍ୟ୍ୟାଳୟ ପରିଦର୍ଶନ, ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ସରକାର ସବୁବେଳେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଇ ଜଳସେଚନକୁ ଅଗ୍ରାଧିକାର ଦେଉଥିବାରୁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଲକ୍ଷ୍ୟଧାର୍ୟ୍ୟ କରାଯାଇଥିବା ସମସ୍ତ ନୂତନ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଭୁବନେଶ୍ୱର ଏଲ୍.ଆଇ.ଡିଭିଜନ କାର୍ୟ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଥିଲେ । ପରିଦର୍ଶନ ଅବସରରେ ଶ୍ରୀ ପତ୍ରୀ ଡିଭିଜନର ପ୍ରତ୍ୟେକ ଉପବିଭାଗ ପରିଦର୍ଶନ କରିବା ସହିତ କାର୍ୟ୍ୟାଳୟ ପରିସରରେ ଥିବା ପାଣି ପମ୍ପ ଟେଷ୍ଟିଂ ପରୀକ୍ଷାଗାର ବୁଲି ଏହାର ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । କୃଷକମାନେ ଯେପରି ଗୁଣାତ୍ମକମାନର ଏବଂ ଉପଯୁକ୍ତ ଦକ୍ଷତା ରଖୁଥିବା ପାଣି ପମ୍ପ ସେଟ୍ ପାଇପାରିବେ ଏହାକୁ ଗୁରୁତ୍ୱ ଦେଇ ପମ୍ପସେଟ୍ଗୁଡିକରେ ଲାବ୍ ଟେଷ୍ଟି ଉପରେ ଶ୍ରୀ ପତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗତ ଫନୀ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିଲା ।

ସଂପୃକ୍ତ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷାକରି ମରାମତି ଆବଶ୍ୟକ କରୁଥିବା ତଥା ନୂତନ ପ୍ରକଳ୍ପଗୁଡିକୁ ରବି ଫସଲକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ୟ୍ୟକ୍ଷମ କରିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଶ୍ରୀ ପତ୍ରୀ ଆବଶ୍ୟକ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ କଡାକଡି ଭାବେ ପାଳନ କରି ଏହାର ଆଧାରରେ ଚାଷୀମାନଙ୍କପାଇଁ ଉଦ୍ଧିଷ୍ଟ ଯୋଜନାର ସୁଫଳ ଯଥଶୀଘ୍ର ପହଁଚାଇବାକୁ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ ।

ଏହି ସମୀକ୍ଷା ବୈ÷ଠକରେ ଅନ୍ୟମାନଙ୍କ ମଧ୍ୟରେ ଉଠାଜଳସେଚନ ନିଗମ ମୁଖ୍ୟ କାର୍ୟ୍ୟାଳୟର କାର୍ୟ୍ୟନିର୍ବାହୀ ନିର୍ଦ୍ଧେଶକ ଶ୍ରୀ ହିମାଦ୍ରୀ ଶେଖର ରାୟ, ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପିପିଲି ଉପଖଣ୍ଡର ସହକାରୀ ଯନ୍ତ୍ରୀ ଶ୍ରୀ ନିମାଇଁ ଚରଣ ବେହେରା, ଖୋର୍ଦ୍ଧା ଉପଖଣ୍ଡର ସହକାରୀ ଯନ୍ତ୍ରୀ ରଂଜନ କୁମାର ମାଝୀ, ଭୁବନେଶ୍ୱର ଉପଖଣ୍ଡ ସହକାରୀ ଯନ୍ତ୍ରୀ ଶ୍ରୀ ନିରଂଜନ ସ୍ୱାଇଁ ଓ ସହକାରୀ ଯନ୍ତ୍ରୀ (ମେକାନିକାଲ ) ଶ୍ରୀ ହିମାଂଶୁ ଶେଖର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।