ଜୀବନ ଏକ ‘ଇସିଜି’ ଗ୍ରାଫ : ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଉପଲକ୍ଷେ ବାର୍ତ୍ତା ରଖିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେ, ଆପଣମାନେ ସମସ୍ତେ ଇସିଜି ଦେଖିଥିବେ। ସେ ଗ୍ରାଫ୍ ଟା କେବେ ସ୍ଥିର ନଥାଏ । ଅପ୍ – ଡାଉନ ଦେଇକି ସବୁବେଳେ ଚାଲୁଥାଏ । ଏହା ସୂଚାଏ ଯେ, ଆମ ଜୀବନ ମଧ୍ୟ ଏ ଭଳି ଅପ୍ ଆଉ ଡାଉନ ଭଳି ଚାଲିଥାଏ । ଯେତେବେଳେ ସେ ଗ୍ରାଫ ଟି ଫ୍ଲାଟ ହୋଇଯାଏ ସେତେବେଳେ ରୋଗୀର ମୃତ୍ୟୁ ହୋଇଯାଏ। ସେଥିପାଇଁ ଭାବିବା ଦରକାର ଯେ ଯେହେତୁ ଆମେ ଜୀବନ ପାଇଛୁ ଏଠି ସମସ୍ୟା ଆସିବ, ସୁଖ ଆସିବ, ଦୁଃଖ ଆସିବ, ହସ ଆସିବ, ଓ ଲୁହ ମଧ୍ୟ ଆସିବ କିନ୍ତୁ ଜୀବନରେ କୌଣସି ଜିନିଷ କେବେ ବି ସ୍ଥିର ନୁହେଁ । କେବେ ନା କେବେ ସମୟର ପରିବର୍ତ୍ତନ ହେବ ଏବଂ ଆମ ପ୍ରତିସ୍ଥିତିର ମଧ୍ୟ ପରିବର୍ତ୍ତନ ଘଟିବ । ଜୀବନରେ ଆମେ ଯଦି ବଞ୍ଚିଛୁ ଏଠି ବିଭିନ୍ନ ପ୍ରକାରର ସମସ୍ୟା ଅଛି । ଅର୍ଥନୈତିକ ଚାପ, ପେଶାଗତ ଚାପ , ଇମୋସନାଲି ଭାଙ୍ଗିଯିବା , ପାରିବାରିକ କଳହ ଅଛି , ଏହି ସମସ୍ୟା ରେ ମ୍ରିୟମାଣ ହୋଇ ଗୋଟେ ଭୁଲ ନିଷ୍ପତି ନେଇ ନିଜକୁ ସମାପ୍ତ କରିଦେବାଟା ଗୋଟିଏ ମୂର୍ଖାମୀ ହେବ। ସେ କହିଛନ୍ତି ଈଶ୍ୱର ଆମକୁ ମଣିଷ କରି ଗଢି ତୋଳିଛନ୍ତି, ଯେଉଁଥିରେ ଆମେ ଏକ ଉନ୍ନତ ମସ୍ତିସ୍କ ପାଇଛୁ, ଭଲମନ୍ଦ ବିଚାର କରିବାର ଶକ୍ତି ପାଇଛୁ। ତେବେ ଆସନ୍ତୁ ଆଜିକାର ଏହି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ଆମେ ସମସ୍ତେ ଶପଥ ନେବା, ଜୀବନରେ ଯେତେ ବଡ ସମସ୍ୟା ଆସୁ ନା କାହଁକି ଆମେ ଧର୍ଯ୍ୟର ସହିତ ମୁକାବିଲା କରିବା । ହେଲେ ଆତ୍ମହତ୍ୟା କରିବା ନାହିଁ।