ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡ଼ିଶାରେ କରୋନାରୁ ସୁସ୍ଥ ହେବା ପରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସଂପୃକ୍ତ ବ୍ୟକ୍ତି ରାଜ୍ୟର ୪୪ନଂ ରୋଗୀ ଥିଲେ । ତାଙ୍କର କରୋନା ଟେଷ୍ଟ ଦୁଇଥର ନେଗେଟିଭ୍ ଆସିଥିଲେ ମଧ୍ୟ ଅନ୍ୟାନ୍ୟ ଜଟିଳ ସମସ୍ୟା ଥିବାରୁ ମେଡିକାଲରୁ ଡିସଚାର୍ଚ କରାଯାଇନଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ତାଙ୍କର ହାଇପୋପିଟ୍ୟୁରିଜୁମ୍ ଓ ମଲଟି ଅରଗାନ୍ ଫେଲ୍ ହେବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯେହେତୁ ସେ କରୋନାରେ ମୃତ୍ୟୁବରଣ କରିନାହାନ୍ତି ତେଣୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ରେ ଅପରିବର୍ତ୍ତିତ ରହିଛି। ଏବେ ୪୯ ଜଣ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।