ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି କୋରୋନା ସ୍ଥିତି। ଅନ୍ଲାଇନ ପାଠପଢ଼ା ପରିବର୍ତ୍ତେ ଅଫଲାଇନ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ। ନଭେମ୍ବର ୧ ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ନଭେମ୍ବର୧୫ ରୁ ପିଜି ପ୍ରଥମ ବର୍ଷ ଅଫ୍ଲାଇନ୍ ଅର୍ଥାତ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାରୁ ନିଷ୍ପତ୍ତି ହୋଇଛି। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ଚିଳତ ଶିକ୍ଷା ବର୍ଷରେ ୟୁଜି ଓ ପିଜିରେ ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ତେବେ କୋଭିଡ୍ କଟକଣାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଶ୍ରେଣୀଗୃହରେ ପାଠପଢ଼ା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ। ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏଣେ ତେଣେ ଛେପ ପକାଇ ପାରିବେ ନାହିଁ। କାଶିବା ବା ଛିଙ୍କିବା ବେଳେ ରୁମାଲ ଆଦି ବ୍ୟବହାର କରିବାକୁ କୁହାଯାଇଛି। ତା’ସହିତ ଛାତ୍ରଛାତ୍ରୀମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ କଠୋରୀକୁ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରିବା ସହିତ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ହଷ୍ଟେଲ୍ରେ ନାଁ ଲେଖାଇଛନ୍ତି ସେମାନେ ସେଠାରେ ରହିପାରିବେ। ହଷ୍ଟେଲ୍ରେ ମଧ୍ୟ ସମସ୍ତ କୋଭିଡ୍ କଟକଣା ଯେମିତି ପାଳନ ହୁଏ, ତାହା ସୁନିଶ୍ଚିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।