ନିଜ ଜିଲ୍ଲାର ଏଏନଏମଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଉ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ-୧୯ ପରିଚାଳନା ପାଇଁ ଜିଲ୍ଲାରେ ବାହାରିଥିବା ସ୍ୱତନ୍ତ୍ର ଏଏନଏମ୍ ପଦବୀରେ ପ୍ରଥମେ ନିଜ ଜିଲ୍ଲାର ପ୍ରର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ଏଏନଏମ୍ ଟ୍ରେନିଂ ନେଇଥିବା ମହିଳାମାନେ ଦାବି କରିଛନ୍ତି। ଏନେଇ ସେମାନେ ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଅନୁସାରେ, ଝାରସୁଗୁଡ଼ାରେ କୋଭିଡ ପରିଚାଳନା ପାଇଁ ୩୬ଟି ସ୍ୱତନ୍ତ୍ର ଏଏନଏମ୍ ପଦବୀ ବାହାରିଥିଲା। ହେଲେ ସେଥିରୁ ମାତ୍ର ୨୬ଟି ଝାରସୁଗୁଡ଼ା ଜିଲ୍ଲାର ପ୍ରାର୍ଥୀଙ୍କୁ ଓ ୧୦ଟି ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ପ୍ରଦାନ କରାଯାଇଛି। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ କେବଳ ନିଜ ଜିଲ୍ଲାର ପିଲାଙ୍କୁ ପ୍ରଥମେ ସୁଯୋଗ ଦିଆଯାଉଥିବାବଳେ ଝାରସୁଗୁଡ଼ାରେ ପ୍ରଥମେ ନିଜ ଜିଲ୍ଲା ପିଲାଙ୍କୁ କାହିଁକି ସୁଯୋଗ ଦିଆଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାସହ ଏଏନଏମ୍ ଟ୍ରେନିଂ ନେଇଥିବା ଯୁବତୀମାନେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିିଥିଲେ ହେଁ ତାହା ସମ୍ଭବ ହୋଇ ନଥିଲା।