ବିଧାନସଭାରେ ମିଥ୍ୟା କହି ଅପରାଧ କରିଛନ୍ତି ରାଜ୍ୟସରକାର: ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି। ଏସଆଇଟି କୋର୍ଟ ମନିଟରିଂରେ କାର୍ଯ୍ୟ କରୁଥିବା କହି ଓଡ଼ିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। କେବଳ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡ଼ିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ହାଇକୋର୍ଟଙ୍କୁ ରାଜ୍ୟ ସରକାର କୌଣସି ଚିଠି ଦେଇନଥିବାର ଆରଟିଆଇ ତଥ୍ୟ ଉପରେ ବିଜେପି ରାଜ୍ୟ ସାଧାରଣ ଡ. ଲେଖାଶ୍ରୀ ସାମନ୍ତସିଂହାର ଏଭଳି କହିଛନ୍ତି।

ସେ ଆକ୍ଷେପ କରିଛନ୍ତି ଯେ ବିଜେଡି ସରକାର ମିଛର ପାହାଡ଼ ଉପରେ ଠିଆ ହୋଇଛନ୍ତି। ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ମିଛ ପ୍ରହେଳିକା ରଚନା କରାଯାଉଛି। ଦୋଷୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇଚାଲିଛନ୍ତି। ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ମାନେ ବାରମ୍ବାର ଏସ୍ଆଇଟି ତଦନ୍ତର କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତନ୍ତ୍ରରେ ଅକ୍ଷମଣୀୟ ଅପରାଧ। କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସ୍ଆଇଟି କୋର୍ଟ ମନିଟରିଂରେ ଚାଲିଥିବା କହିଛନ୍ତି। କିନ୍ତୁ ଆଜି ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି।

ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଅଣାଯାଉ ଏବଂ ଉଚ୍ଚ ନ୍ୟାୟାଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତୁରନ୍ତ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି।