ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବିଜେଡି: ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତାଙ୍କ ତଥ୍ୟରେ କୌଣସି ତାଳ ମେଳ ନଥିଲା। ସେମାନେ କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି। ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି। ଶାସକ ଦଳ ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତିି।

ଡ. ସାମନ୍ତସିଂହାର ଆକ୍ଷେପ କରିଛନ୍ତି ଯେ, କେନ୍ଦ୍ରସରକାର ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ଓଡ଼ିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଛି। କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ଟଙ୍କା ଦେଉଥିବା ସ୍ଥଳେ ମଣ୍ଡିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଥିବାରୁ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ। କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସତ୍ତେ୍ୱ ଅଦ୍ୟାବଧି ଓଡ଼ିଶାରେ ମଣ୍ଡି ଭିତ୍ତିଭୂମି ସୁଧୁରି ନାହିଁ। ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ। ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ଡିସେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ। କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ। ହେଲେ ଅନ୍ୟପଟେ ରାଜ୍ୟରେ ବିଜେପି ୬ଟି ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ କରାଇ ଏବଂ ୧୮୦୦ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟାରେ ଭାଗିଦାରୀ ହୋଇଛି ବୋଲି ସେ କହିଛନ୍ତି।

ଆଗାମୀ ଦିନରେ ଆରଡିସି ଅଫିସ ୍ ଘେରାଓ ଥିବାରୁ ବିଜେଡି ମନରେ ଛନକା ପଶିଛି। ଡିଏଲପିସିରେ ସରକାର ନିର୍ଦ୍ଧାରଣ କରିଛନ୍ତି ଯେ, ଅଣଜଳସେଚିତ ଜମିରେ ୧୩ କ୍ୱିଣ୍ଟାଲ ପ୍ରତି ଏକର ଏବଂ ଜଳସେଚିତ ଜମିରେ ୧୯ କ୍ୱିଣ୍ଟାଲ ପ୍ରତି ଏକର ଧାନ ବିକ୍ରି ହେବ। ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଅଣଜଳସେଚିତ ଜମିରେ ୨୦ କ୍ୱିଣ୍ଟାଲ ଏବଂ ଜଳସେଚିତ ଜମିରେ ୩୦ କ୍ୱିଣ୍ଟାଲ ଧାନ ହୋଇଛି । ରାଜ୍ୟସରକାର କାହିଁକି ଏହି ଧାନ କିଣୁନାହାଁନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଧାନ କିଣନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।