ବିଦ୍ୟୁତ କ୍ଷେତ୍ର ଓ ଜମି ଯୋଗାଣରେ ବ୍ୟାପକ ଦୁର୍ନୀତି: ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସଦ୍ୟ ପ୍ରକାଶିତ ୨୦୧୯ ସମାପ୍ତି ବର୍ଷର ସିଏଜି ରିପୋର୍ଟ ରାଜ୍ୟ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ପଦାରେ ପକାଇଛି। ଜରୁରୀ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି କିଣାରେ ଅନିୟମିତତା, ବିଦ୍ୟୁତ୍ ସାମଗ୍ରୀ କିଣାରେ ଓପିଟିସିଏଲ୍ର ମନମାନି ଏବଂ ଶିଳ୍ପସଂସ୍ଥାଙ୍କୁ ଜମି ଯୋଗାଣରେ ଇଡକୋର ଅହେତୁକ ଅନୁକମ୍ପା ସବୁ କିଛି ଏହି ରିପୋର୍ଟରେ ଧରା ପଡ଼ିଯାଇଛି। ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡକାଇ ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୨୧ ବର୍ଷ ରାଜ୍ୟରେ ଶାସନ କଲାପରେ ବିଜେଡି ସରକାର ଆହୁରି ଦୁର୍ନୀତିଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର। ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ୍ କ୍ଷେତ୍ର ଏବଂ ଜମି ଯୋଗାଣରେ ରାଜ୍ୟ ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି। ଘରୋଇ ବିଦ୍ୟୁତ୍ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର। ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫର୍ମର କିଣିବାକୁ ଅନୁମତି ଦେଇଥିଲେ। ୩୬ଟି ଟ୍ରାନ୍ସଫର୍ମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା ପାୱାରକୁ ୯୫ଟି ଲଗାଇବାକୁ ଅନୁମତି ଦିଆଗଲା। ସେହିପରି ‘ଏଲ୍ ଆଣ୍ଡ ଟି’କୁ ୨୪ଟି ଟ୍ରାନ୍ସଫର୍ମର ଦେବା ବଦଳରେ ୧୨୩ଟି ଟ୍ରାନ୍ସଫର୍ମର ଲଗାଇବା କାର୍ଯ୍ୟ ଦିଆଯାଇଥିଲା। ଓପିଟିସିଏଲର ଟ୍ରାନ୍ସଫର୍ମର ଲଗାଇବାର ନିଜସ୍ୱ କ୍ଷମତା ଥିବା ସତ୍ତେ୍ୱ ଘରୋଇ କମ୍ପାନୀକୁ ଲାଭ ଦେବାପାଇଁ ସୁଯୋଗ ଦିଆଯାଇଛି। ଏହି ଟ୍ରାନ୍ସଫର୍ମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫର୍ମର ବସାନଗଲେ ସଂପୃକ୍ତ କମ୍ପାନୀ ୧୦୦ କୋଟି ଟଙ୍କା ପେନାଲ୍ଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡ଼ି ଦେଇଛନ୍ତି।

୨୦୧୪ ରେ ରାଜ୍ୟ ସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ତତ୍କାଳୀନ ଏଜି ଅମର ପଟ୍ଟନାୟକ କହିଥିଲେ। ରାଜ୍ୟ ସରକାର ଘରୋଇ ଶିଳ୍ପାନୁଷ୍ଠାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି। ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି। ୨୦୧୫-୧୬ରେ ଜିଏମ୍ଆର ଏବଂ ଲ୍ୟାନ୍କୋ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ୨୦୦୭ ମସିହା ଦରରେ ଜମି ବିକ୍ରି କରାଯାଇଛି। ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି। ୧୯୯୫ ମସିହାରେ ଗୋପାଲପୁରରେ ଟାଟା କମ୍ପାନୀକୁ ଷ୍ଟିଲ୍ ପ୍ଲାଣ୍ଟ୍ କରିବା ପାଇଁ ୫୩୭.୮୨ ଏକର ଜମି ଦିଆଯାଇଥିଲା। କିନ୍ତୁ ସେଠାରେ ଷ୍ଟିଲ ପ୍ଲାଣ୍ଟ୍ ହେଲାନାହିଁ। ହେଲେ ରାଜ୍ୟ ସରକାର ସେହି ଜମିକୁ ଫେରସ୍ତ ନଆଣି ୧୫ ବର୍ଷପରେ ପୁଣିଥରେ ଟାଟାକୁ ୧୯୯୫ ମସିହାର ପୁରୁଣା ଦରରେ ବିକ୍ରି କଲେ। ସେଥିରେ ରାଜ୍ୟ ସରକାରଙ୍କ ୧୬ କୋଟି ଟଙ୍କା କ୍ଷତି ହେଲା। ଟାଟା କମ୍ପାନୀପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଡ. ସାମନ୍ତସିଂହାର। ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।