ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରିବା ମହାପାପ: ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଖାପାଖି ୩୫ ହଜାର ଏକର ଜମି ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରିବା ମହାପାପ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ଯେ, ମାର୍ଚ୍ଚ ୧୬ ତାରିଖରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ମୂଲ୍ୟବାନ ଜମି ରାଜ୍ୟ ସରକାର ବିକ୍ରି କରିବାର ପ୍ରକ୍ରିୟାରେ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟର ୨୪ ଟି ଜିଲ୍ଲାରେ ଥିବା ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି ଏବଂ ୩୪,୮୭୬.୯୮୩ ଏକର ଜମି ବିକ୍ରି କରିବା ପାଇଁ ଯୋଜନା ଚାଲିଛି। କଟକରେ ଭାରତୀ କୋଠାର ୩୧୫.୩୩୭ ଏକର ଜମିକୁ ରାଜ୍ୟ ସରକାର ବିକ୍ରି କରିସାରିଲେଣି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ତାଙ୍କର ରୀତିନୀତି ଓ ସମ୍ପତ୍ତି ସହ ବିଭ୍ରାଟ ହେଲେ ହିନ୍ଦୁ ସମାଜ ଏବଂ ଓଡ଼ିଆ ଜାତି କେବେ ବି ଏହା ଗ୍ରହଣ କରିବ ନାହିଁ। ପୂର୍ବରୁ ରାଜ୍ୟ ସରକାର ଅନେକ ସମୟରେ ମହାପ୍ରଭୁଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି। ଏବେ ପୁଣିଥରେ ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରିବାର ଅପଚେଷ୍ଟା ବନ୍ଦ କରନ୍ତୁ ରାଜ୍ୟ ସରକାର। ଏହି ୩୫ ହଜାର ଏକର ଜମି ବିକିବା ପାଇଁ ନେଇଥିବା ପଦକ୍ଷେପରୁ ସରକାର ନିବୃତ ରୁହନ୍ତୁ। ନଚେତ୍ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଆଇନଗତ ପଦକ୍ଷପ ଗ୍ରହଣ କରିବ ବୋଲି ଡ. ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।