କେନ୍ଦ୍ର ସହ ହୋଇଥିବା ବୁଝାମଣାକୁ ଅବମାନନା କରିଛି ରାଜ୍ୟ: ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ ପୋଗ୍ରାମ। ଏଥିରେ ନୋମେନକ୍ଲେଚର ପରିବର୍ତ୍ତନ ହେବା କଥା ନୁହେଁ। ଯେକୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ। ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗସିପ୍ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ୱୟନ ବଦଳାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ୱାର୍ଥପାଇଁ ଏହି ଯୋଜନାର ନାମ ପରିବର୍ତ୍ତନ କରିଛି। ଏହା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଡ.ସାମନ୍ତସିଂହାର କହିଛନ୍ତି ଯେ ଦୀର୍ଘଦିନ ଧରି ନିଜର ରାଜନୈତିକ ଅଭିସନ୍ଧି ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ୍ କରି ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୋଦୀ ନାଁ ନେଇଯିବା ଭୟରେ ବିଜେଡି ପ୍ରବକ୍ତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା କହି ନୂଆ ନୂଆ ଗପ ଶୁଣାଉଛନ୍ତି। ରାଜ୍ୟ ସରକାର ଏହା ପୂର୍ବରୁ ୧୦୮ ଆମ୍ବୁଲାନ୍ସ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିଥିଲେ। ସତ୍ୟକୁ ସ୍ୱୀକାର କରିବା ପାଇଁ ରାଜ୍ୟ ସରକାର କାହିଁକି ଭୟଭୀତ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।