ମିଛ କହିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପରୀ ହତ୍ୟାକାଣ୍ଡର ତଦନ୍ତ ସଂପୂର୍ଣ୍ଣଭାବେ ଦିଗହରା ହୋଇଛି। ଏସଆଇଟି କୋର୍ଟ ମନିଟରିଂରେ ଚାଲିଥିବା କହି ରାଜ୍ୟସରକାର ଓଡ଼ିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। ଏବେ ତାଙ୍କର ସମସ୍ତ ତଥ୍ୟ ମିଥ୍ୟା ବୋଲି ଆରଟିଆଇ ରିପୋର୍ଟରୁ ଜଣାପଡୁଛି। ଏଣୁ କୋର୍ଟଙ୍କ ଅବମାନନା ଆଧାରରେ ମିଥ୍ୟା କହିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର ଯୁକ୍ତି ରଖିଛନ୍ତି, ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଏସଆଇଟିର ମନିଟରିଂ ସିଟିଂ ଜଜଙ୍କ ଦ୍ୱାରା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ୧ ଡିସେମ୍ବର ୨୦୨୦ରେ ରାଜ୍ୟ ସରକାରଙ୍କୁ ସୂଚେଇ ଦେଇଥିଲେ। ଅର୍ଥାତ୍ ସରକାର ଦେଢ଼ମାସରୁ ଉଦ୍ଧ୍ୱର୍ ସମୟ ହେଲା ଏହା ଜାଣିଲେଣି। ତଥାପି ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ଶାସକ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଓ ସାଂସଦ ମାନେ ବିଭିନ୍ନ ସମୟରେ ଏସଆଇଟି ‘କୋର୍ଟ ମନିଟର୍ଡ’ ବୋଲି କହିଚାଲିଥିଲେ। ଏହା ଏକ ଧର୍ତବ୍ୟ ଅପରାଧ। ଗତ ୧୮ ଡିସେମ୍ବର ୨୦୨୦ରେ ଏକ ପ୍ରେସ୍ ବିଜ୍ଞପ୍ତିରେ ଓଡ଼ିଶା ପୁଲିସ ଡିଜି ପରୀ ହତ୍ୟାକାଣ୍ଡ ଘଟଣାକୁ ‘କୋର୍ଟ ମନିଟର୍ଡ’ ବୋଲି ରାଜ୍ୟବାସୀଙ୍କ ଆଗରେ ମିଛ କହିଥିଲେ। ଏଣୁ ହାଇକୋର୍ଟଙ୍କ ଅବମାମନା ଆଧାରରେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେ ବିଶ୍ୱାସ ରଖିଛୁ। ଏଥିସହ ପରୀ ହତ୍ୟାକଣ୍ଡର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବି କରିଛନ୍ତି ଡ. ସାମନ୍ତସିଂହାର।