ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମୁହଁ ଖୋଲିଛନ୍ତି। ନିଜ ବୟାନକୁ ନେଇ ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ସିଧାସଳଖ ଶାସକ ଦଳକୁ ଟାର୍ଗେଟ ମଧ୍ୟ କରିଛନ୍ତି। ଏପରିକି ସେ କଳାପାହାଡ଼ର ଭଉଣୀ ନୁହଁନ୍ତି, ବରଂ ଶାସକ ଦଳ ହିଁ ପ୍ରକୃତରେ କଳାପାହାଡ଼ ବୋଲି କହିଛନ୍ତି।
ଲେଖାଶ୍ରୀଙ୍କ ବୟାନକୁ ନେଇ ଶାସକ-ବିରୋଧି ମଧ୍ୟରେ କାଦୁଆ ଫିଙ୍ଗାଫିଙ୍ଗି ଚାଲିଥିବା ବେଳେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଓଡିଶାକୁ ଅପମାନିତ କରିନି। ବରଂ ଓଡିଶାକୁ ପଛୁଆ କରିଥିବା ଲୋକେ ଅପମାନିତ ହେବା ଭାବୁଛନ୍ତି। ମୋତେ ଓଡିଶାବାସୀଙ୍କ ଆଗରେ ବଦନାମ କରିବାକୁ ଚାହୁଁଛନ୍ତି, ମୋତେ କଳାପାହାଡର ଭଉଣୀ ବୋଲି କହୁଛନ୍ତି । ଯେଉଁମାନ ଓଡିଶାକୁ ୫୦ ବର୍ଷ ପଛକୁ ଠେଲି ଦେଇଛନ୍ତି ସେମାନ କଳାପାହାଡ ହେଲେନି କି? ନିଜ ଭୁଲକୁ ଲୁଚାଇବା ପାଇଁ ଆମକୁ ଅପମାନିତ କରାଯାଉଛି। ଛେନାରୁ ଚୋପା ଛଡାଇଲା ଭଳି ମୋର ମନ୍ତବ୍ୟକୁ ନେଇ ରାଜନୀତି କରାନଯାଉ ବୋଲି ଲେଖାଶ୍ରୀ କହିଛନ୍ତି। ସେ କହିଛନ୍ତି, ୨୦ ବର୍ଷ ଶାସନ କାଳରେ ଓଡିଶାକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି। ଏହାର ଜବାବ ସିଧାସଳଖ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ୟାକୁ ତାକୁ ଲଗାଇ କୁହନ୍ତୁ ନାହିଁ।ପ୍ରଶ୍ନ କଲେ ଶାସକ ଦଳକୁ କଷ୍ଟ ହେଉଛି। ପ୍ରକୃତରେ ସେମାନ ହିଁ କଳାପାହାଡ଼। ମୁଁ ମୋ ମନ୍ତବ୍ୟରେ କେଉଁଠି ଜଗନ୍ନାଥ ମହାପ୍ରଭୁଙ୍କ ନାଁ ନେଇଛି କୁହନ୍ତୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ସୋମବାର ପୁରୀରେ ଏକ ସଭାରେ ସମ୍ବିତ ପାତ୍ରଙ୍କୁ ପ୍ରସଂଶା କରିବାକୁ ଯାଇ ଲେଖାଶ୍ରୀ କହିଥିଲେ ପୁରୀକୁ ଦେଶବାସୀ କୋଲକତାର ବୋଲି ଜାଣିଥିଲେ। ଯେତେବେଳେ ପୁରୀ ଲୋକସଭା ଆସନରୁ ଡାକ୍ତର ସମ୍ବିତ ପାତ୍ର ନିର୍ବାଚନ ଲଢିଲେ, ସେତେବେଳେ ପୁରୀ ଓଡିଶାର ବୋଲି ଦେଶବାସୀ ଜାଣିବାକୁ ପାଇଲେ। ଏଭଳି ମନ୍ତବ୍ୟ ପରେ ବିବାଦ ସୃଷ୍ଟି ହୋଇଥିଲା। ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା।
ଏହାକୁ କଡା ସମାଲୋଚନା କରି ବିଜେଡି ନେତା ଅରୂପ ପଟ୍ଟନାୟକ ଲେଖାଶ୍ରୀଙ୍କ ନାଁ ନ ନେଇ ତାଙ୍କୁ କଳାପାହାଡର ଭଉଣୀ ବୋଲି ଆଖ୍ୟା ଦେଇଥିଲେ। ସେ କହିଥିଲେ, ପ୍ରଭୁ ଜଗନ୍ନାଥ ଏବଂ ପୁରୀ ବିନା ଓଡ଼ିଶାର ଅସ୍ତିତ୍ୱ ନାହିଁ। ଏମିତି କହି ସେ ନିର୍ବୋଧ, ବାଚାଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। ଜଗନ୍ନାଥଙ୍କୁ ଧ୍ୱଂସ କରିବା ପାଇଁ କଳାପାହାଡ ଆସିଥିଲେ। ତାଙ୍କର ଭଉଣୀ ଭଳି ସେ ବ୍ୟବହାର କରୁଛନ୍ତି। ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ ବିଜେପିର ଅନୁମୋଦନ ଥିଲା ଭଳି ଲାଗୁନି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଲେଖାଶ୍ରୀ ମୁହଁ ଖୋଲିଛନ୍ତି।