ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ମହାବିଦ୍ୟାଳୟରେ କର୍ମ କ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ପ୍ରତିରୋଧ ଆଇନକୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ ସଭାପତିତ୍ୱ କରି ମହିଳାମାନେ କର୍ମ କ୍ଷେତ୍ରରେ କିପରି ସୁରକ୍ଷିତ ଭାବରେ କାର୍ଯ୍ୟ କରିପାରିବେ ଏବଂ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିଦ୍ୟାଳୟର ଯୌନ ନିର୍ଯାତନା ସେଲର ସଂଯୋଜିକା ତଥା ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ସଙ୍ଗୀତା ତ୍ରିପାଠୀ “କର୍ମକ୍ଷେତ୍ରରେ ମହିଳା ଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩’ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡା. ନନ୍ଦିତା ମିଶ୍ର ଏହି କର୍ମଶାଳାରେ ଯୋଗଦେଇ କର୍ମ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାର ଯୌନ ନିର୍ଯାତନା ଓ ଏହାର ପ୍ରତିରୋଧ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଭାନୁମତୀ ସାହୁକାର କାର୍ଯ୍ୟକ୍ରମକୁ ପରିଚାଳନା କରି ଅନୁଷ୍ଠାନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜାହାଙ୍ଗୀର ମହମ୍ମଦ, ଅଧ୍ୟାପକ ଡା. ରୁଦ୍ର ମାଝୀ, ଅଧ୍ୟାପିକା ପ୍ରଣତୀ ମାଝୀ, ଅଧ୍ୟାପିକା ଶ୍ୱେତାଲିନା ନନ୍ଦ, ଅଧ୍ୟାପିକା ରଜନୀ ମିଞ୍ଜ, ଅଧ୍ୟାପିକା ଅନୁପମା ମାଝୀ ଓ ଅଧ୍ୟାପିକା ସସ୍ମିତା ବିଶ୍ୱାସରାୟଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ନିର୍ମଳା ହିକକା ଧନ୍ୟବାଦ ଦେଇଥିଲେ ।