ବାଲିଗୁଡ଼ା,ଏନ୍ଏନ୍ଏସ୍: ନିଖିଳ ଓଡ଼ିଶା ଏମଡିଏମ ପାଚିକା ସହାୟିକା ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ୱରେ ବାଲିଗୁଡ଼ାରେ ଏକ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ୧୫ ଦଫା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଚିକା ସହାୟିକାଙ୍କୁ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କା ପ୍ରଦାନ ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୪ ମାସର ବକେୟା ଦରମା ପ୍ରାପ୍ୟ ତୁରନ୍ତ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି । ଏହାସହ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ, ପାଚିକାଙ୍କୁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଏକକାଳୀନ ୧ଲକ୍ଷ ଟଙ୍କା ପ୍ରଦାନ ସହିତ ପରିବାରର ଜଣଙ୍କୁ ପାଚିକା ଭାବେ ନିଯୁକ୍ତି, ଅବସର ବୟସ ୬୫ ବର୍ଷକୁ ବୃଦ୍ଧି ଓ ଅବସରପ୍ରାପ୍ତ ପରେ ମାସିକ ପେନସନ ପ୍ରଦାନ କରାଯାଉ । ବାଲିଗୁଡ଼ା ସଂଘର ସଭାପତି ଦିକାସିନୀ ପ୍ରଧାନୀ, ସମ୍ପାଦକ ସେବତି ମଳିକ, ସତ୍ୟଶିଳା ପ୍ରଧାନୀ ଓ ଚତୁର୍ଥୀ ବେହେରା ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।