୧୫ ଦିନରେ ଦୁଇଗୁଣା ଏଲଏଲ୍ ଆବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନୂଆ ପରିବହନ ଆଇନ ଲାଗୁ ହେବା ପରେ ଲାଇସେନ୍ସ ନଥିବା ଗାଡି ଚାଳକଙ୍କର ଚେତା ପସିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର ଆରଟିଓ ଅଫିସରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ପରିବହନ ସଚିବ ଜି ଶ୍ରୀନିବାସଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଆବେଦନକାରୀଙ୍କ ସଂଖ୍ୟା ୩୩ ହଜାର ୨୮୧ ରେ ପହଞ୍ଚିଛି। ଯାହାକି ପୂର୍ବ ଅପେକ୍ଷା ପ୍ରାୟ ୨ଗୁଣରୁ ଅଧିକ ହେବ। ରାଜ୍ୟରେ ସବୁଠାରୁ ଅଧିକ ଏଲ୍ଏଲ୍ ଆବେଦନ ଭୁବନେଶ୍ୱରରେ ହୋଇଛି।
ଭୁବନେଶ୍ୱରରେ ଗତ ୧୫ଦିନ ମଧ୍ୟରେ ୨୮୨୭ ଜଣ ଆବେଦନ କରିଛନ୍ତି। ଗତମାସରେ ଏହି ସଂଖ୍ୟା ୧୧୫୭ରେ ସୀମିତ ଥିଲା। ସେହିପରି ମାଲକାନଗିରିରେ ଏହି ସମୟ ମଧ୍ୟରେ ସର୍ବାଧିକ ୧୧୦୦ ଜଣ ଏଲ୍ଏଲ୍ ପାଇଁ ଆବେଦନ କରିଛନ୍ତି। ଏଠାରେ ଗତମାସରେ ମାତ୍ର ୭ଜଣ ଏଲଏଲ୍ ପାଇଁ ଆବେଦନ କରିଥିଲେ। ଗତମାସ ତୁଳନାରେ ଏହା ପ୍ରାୟ ୧୫୬୧୪ ପ୍ରତିଶତରୁ ଅଧିକ ହେବ। ମାତ୍ର ସମ୍ବଲପୁରରେ ରାଜ୍ୟର ସବୁଠାରୁ କମ୍ ଲାଇସେନ୍ସ ଆବେଦନକାରୀ ରହିଛନ୍ତି। କେଉଁ ପରିପ୍ରେକ୍ଷୀରେ ସେଠାରେ ଆବେଦନ କମ୍ ରହିଛି, ସେ ନେଇ ଆରଟିଓ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଥିବା ଶ୍ରୀନିବାସ କହିଛନ୍ତି। ସେହିପରି ବୌଦ୍ଧରେ ଏଲ୍ଏଲ୍ ଆବେଦନ ସଂଖ୍ୟା ଗତମାସ ତୁଳନାରେ ୫ଗୁଣ ବଢ଼ି ୨୦୮ ସଂଖ୍ୟାରେ ପହଞ୍ଚିଥିବାବେଳେ ରାଉରକେଲାରେ ୧୩୩ରୁ ୧୦୧୭ରେ ପହଞ୍ଚିଛି।
ତେବେ ଆଞ୍ଚଳିକ ପରିବହନର ଭିଡ଼କୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ ନୂତନ କେନ୍ଦ୍ର ଖୋଲାଯାଉଛି। ସେହିପରି ଏଲ୍ଏଲ୍ ଆବେଦନକାରୀଙ୍କୁ ତାଙ୍କ ମନପସନ୍ଦ ସ୍ଥାନରେ ଡ୍ରାଇଭିଂ ପରୀକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଏନ୍ଆଇସି ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖାଯାଇଛି। ଖୁବ୍ଶୀଘ୍ର ଏହି ସୁବିଧା ନୂତନ ଲାଇସେନ୍ସଧାରୀଙ୍କୁ ମିଳିବ। ଏହା ବ୍ୟତୀତ ଅଧିକ ଭିଡ଼ ଯେଉଁଠାରେ ପରିଲକ୍ଷିତ ହେବ, ସେଠାରେ ଦିନରାତି ଡ୍ରାଇଭିଂ ଟେଷ୍ଟ ନେବା ପାଇଁ ଆଞ୍ଚଳିକ ପରିବହନ ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଶ୍ରୀ ନିବାସ କହିିଛନ୍ତି।