ମାସକ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବ ଆଇନଜୀବୀ ସଂଘ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନଜୀବୀ ସଂଘ ଜିଲ୍ଲାର କାର୍ଯ୍ୟନିର୍ବାହୀ କୋର୍ଟ, ଖାଉଟି ଅଦାଲତ ଅଚଳ, ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଭର୍ତ୍ସନା କରିଛନ୍ତି । ମାସକ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ନହେଲେ ଜିଲ୍ଲା ଆଇନଜୀବୀ ସଂଘ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଉପଜିଲ୍ଲାପାଳ, ରାଜସ୍ୱ ଅଧିକାରୀ, ତହସିଲଦାରଙ୍କ କୋର୍ଟ ଓ ଜିଲ୍ଲା ଖାଉଟି ଅଦାଲତ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଥିବା ଯୋଗୁ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପସଭାପତି ବିଧୁ ଶେଖର ତ୍ରିପାଠୀ ଓ ଆଇନଜୀବୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାରମ୍ବାର ଅନୁରୋଧ ଏବଂ ଅଭିଯୋଗ ସତ୍ୱେ ଜିଲ୍ଲାପାଳ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ କ୍ଷୋଭ ପ୍ରକାଶ କରାଯିବା ସହ ଏହାର ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ, ୫ଟି ରୂପାନ୍ତରକରଣ ସଚିବ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଜ୍ୟ ଖାଉଟି କମିଶନର ସଭାପତିଙ୍କୁ ଲିଖିତ ଭାବେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ରାଜସ୍ୱ କୋର୍ଟଗୁଡ଼ିକ ନଚାଲିବା ଯୋଗୁ ବିବିଧ ପ୍ରମାଣ ପତ୍ର ନପାଇ ଜନସାଧାରଣ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜ ନିଜ ଘର ବାଡ଼ି ଓ ଜମି ଆପୋଷ ବଣ୍ଟନରେ ଅସୁବିଧା ହେଉଛି । ଘର ତିଆରି ପାଇଁ ବ୍ୟାଙ୍କରୁ ଋଣ ପାଇବାରେ ଅସୁବିଧା ହେଉଥିବାରୁ ସମସ୍ୟା ଭୋଗୁଛନ୍ତି । ସେହିପରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଟ୍ରାଫିକ ପୋଷ୍ଟ ଗୁଡ଼ିକର ଲାଇଟ୍ ଜଳୁନାହିଁ । ସାରା ସହରର ରାସ୍ତାଘାଟ ଦୀର୍ଘ ବର୍ଷ ହେବ ମରାମତି ହୋଇନାହିଁ । ଏସମ୍ପର୍କରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ପୂର୍ବରୁ ଲିଖିତ ଅଭିଯୋଗ କରାଯାଇଥିବାରୁ ଜିଲ୍ଲାପାଳ ଜିଲ୍ଲାର ଏଡିଏମ୍‌, ଉପଜିଲ୍ଲାପାଳ ଓ ସମସ୍ତ ତହସିଲଦାରଙ୍କୁ ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ । କିନ୍ତୁ ତାଙ୍କ ଅଧସ୍ତନ ଅଧିକାରୀମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରି ନିଜ ନିଜ କାର୍ଯ୍ୟରେ ଯୋଗ ନଦେଇ କେବଳ ଦୁର୍ନୀତିରେ ଲିପ୍ତ ରହୁଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଆଗାମୀ ୭ ଦିନ ମଧ୍ୟରେ କୋର୍ଟ ଗୁଡ଼ିକ ନିୟମିତ କାର୍ଯ୍ୟକ୍ଷମ ନହେଲେ ଏବଂ ଆଗାମୀ ମାସକ ମଧ୍ୟରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ ପରିଚାଳନାରେ ସୁଧାର ନ ଆସିଲେ ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ ହେବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।