ଜେଏନୟୁ ଛାତ୍ରଙ୍କ ଉପରେ ପୁଲିସର ଲାଠିମାଡ଼

ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଜେଏନୟୁ ଛାତ୍ରମାନେ ବିଭିନ୍ନ ଦାବି ନେଇ ଏକ ବିକ୍ଷୋଭ ପଟୁଆରରେ ରାଷ୍ଟ୍ରପତି ଭବନ ଅଭିମୁଖେ ଗଲାବେଳେ ପୁଲିସ ପକ୍ଷରୁ ସେମାନଙ୍କ ଉପରେ ଲାଠି ପ୍ରୟୋଗ କରାଯାଇଛି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ପୁଲିସ କର୍ଡନ୍ ଭାଙ୍ଗିବାକୁ ଉଦ୍ୟତ ହେବାରୁ ସେମାନଙ୍କୁ ଆୟତ୍ତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି। ସୋମବାର ଜେଏନୟୁ କ୍ୟାମ୍ପସରୁ ଶତାଧିକ ଛାତ୍ର ପଟୁଆରରେ ବାହାରିବା ସମୟରେ ସୁରକ୍ଷାବାହିନୀ ପକ୍ଷରୁ ଜେଏନୟୁର ସମସ୍ତ ଫାଟକ ବନ୍ଦ କରିଦିଆଯାଇଥିଲା।

ଜେଏନୟୁ ଛାତ୍ରସଂଘ ପକ୍ଷରୁ ପୁଲିସକୁ ପ୍ରବର୍ତ୍ତାଇବା ପରେ ବିକ୍ଷୋଭ ପଟୁଆର ୪ ଘଣ୍ଟା ବିଳମ୍ବରେ ବାହାରିଥିଲା। ଉଲ୍ଲେଖଯୋଗ୍ୟ ଜେଏନୟୁ ଛାତ୍ରସଂଘର ଦାବି ପ୍ରଶାସନ ପୂରଣ କରିବାରେ ବିଫଳ ହେବାପରେ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା। ଗତମାସରେ ପାର୍ଲାମେଣ୍ଟ ନିକଟ ମେଟ୍ରୋ ଷ୍ଟେସନ୍ର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରିଦିଆଯାଇଥିଲା।

ଛାତ୍ରମାନେ ପାର୍ଲାମେଣ୍ଟ ଅଭିମୁଖେ ଗଲାବେଳେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ଛାତ୍ରମାନେ ନିଷେଧାଦେଶକୁ ନମାନି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଷ୍ଟେଲ୍ ଫି’ ବୃଦ୍ଧି ପ୍ରତିବାଦରେ ଜେଏନୟୁ ଛାତ୍ରମାନେ ଏଭଳି ଆନ୍ଦୋଳନ ଚଳାଇଛନ୍ତି। ତେବେ ଇତିମଧ୍ୟରେ ଜେଏନୟୁ ପ୍ରଶାସନ ହଷ୍ଟେଲ୍ ଫି’ ୫୦ ପ୍ରତିଶତ ହ୍ରାସ କରିଥିଲେ ମଧ୍ୟ ଛାତ୍ରମାନେ ବର୍ଦ୍ଧିତ ଫି’ ପ୍ରତ୍ୟାହାର କରାଯିବାକୁ ଅଡ଼ି ବସିଛନ୍ତି।