ନାବାଳିକାର ମୃତ୍ୟୁ ଘଟଣା: ସ୍କୁଲ ନିକଟରେ ପଡିଛି ହାତଲେଖା ଚିଠି

ପାଟଣା,ଏନ୍ଏନ୍ଏସ୍: ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିବାର ୪ ଦିନ ପରେ ମୃତ୍ୟୁ ସମ୍ପର୍କିତ କିଛି ହାତ ଲେଖା ଚିଠି ମିଳିବାରୁ ସସପେନ୍ସ ବଢିବାରେ ଲାଗିଛି। ପ୍ରେମ ବ୍ୟାପାରକୁ ନେଇ ନାବାଳିକାଙ୍କର ମୃତ୍ୟୁ ଘଟିଥିବା ଚିଠିରେ ଲେଖାଯାଇଛି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ଗ୍ରାମର ମୁଣ୍ଡା ସାହିରେ ଗତ ମଙ୍ଗଳବାର ରାତିରେ ଘର ନିକଟ ଏକ ଆକାଶିଆ ଗଛରେ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରି ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତ ନାବଳିକା ପୁରୁଣିଆଁ ଗ୍ରାମର ବିଳାସିନୀ ମୁଣ୍ଡା ହୋଇଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିଲା । ସେ ଚାଖୁଣ୍ଡାପାଳ ଗ୍ରାମରେ ମାମୁଁ ଘରେ ରହି ପଢୁଥିଲେ ।  ଏନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଆଜି ସକାଳୁ ପୁରୁଣିଆଁ ସ୍କୁଲ ନିକଟରେ ଅନେକ ହାତଲେଖା ଚିଠି ପଡିଛି। ଉକ୍ତ ଚିଠିରେ ପ୍ରେମ ଜନିତ କାରଣରୁ ନାବାଳିକାର ମୃତ୍ୟୁ ହୋଇଥିବା ଲେଖା ଯାଇଥିବା ବେଳେ ଚାଖୁଣ୍ଡାପାଳ ଗ୍ରାମବାସୀ ସବୁ ଜାଣିଥିବା ଉଲ୍ଲେଖ କରାଯାଇଛି।  ଏହାସହ ନାବାଳିକାଙ୍କୁ ନ୍ୟାୟ ଦେବାପାଇଁ ଚିଠିରେ ପ୍ରାର୍ଥନା କରାଯାଇଛି। ପୁଲିସ ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ଉଲ୍ଲେଖ କରାଯାଇଛି। ହେଲେ ନାବାଳିକାର ମୃତ୍ୟୁକୁ ନେଇ କିଏ ହାତ ଲେଖା ଚିଠି ପକାଇଛି ସେନେଇ ଚର୍ଚ୍ଚା ଜୋର ଧରିଛି।