ମୁଖ୍ୟମନ୍ତ୍ରୀଙ୍କୁ ଫିକି ଅଧ୍ୟକ୍ଷଙ୍କ ଚିଠି : ଓଡ଼ିଶାରେ  ନଲାଗୁ ଲକଡାଉନ 

ଭୁବନେଶ୍ୱର, ଏନ୍ଏନ୍ଏସ୍: ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ଅଧ୍ୟକ୍ଷ ଉଦୟ ଶଙ୍କର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ରାଜ୍ୟରେ ପୁଣିଥରେ ଲକଡାଉନ ନଲଗାଇବାକୁ ସେ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଲକଡାଉନ ଲାଗିବା ଦ୍ୱାରା ଅର୍ଥନୀତି ପୁଣିଥରେ ପଛକୁ ଚାଲିଯିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ଶ୍ରୀ ଶଙ୍କର ଲେଖିଛନ୍ତି ଯେ ଦେଶରେ ବ୍ୟାପି ଚାଲିଥିବା କରୋନାର ଦ୍ୱିତୀୟ ଲହରୀକୁ ନେଇ ଫିକି ଚିନ୍ତିତ ଏବଂ ସଜାଗ ଅଛି। ସଂକ୍ରମଣ ସଂଖ୍ୟା ଅଚାନକ ବୃଦ୍ଧିହେବା ସାଧାରଣ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିବାର ଆଶଙ୍କା ଉପୁଜିଛି। ତେବେ ଏ ପରିସ୍ଥିତିରେ ଲକଡାଉନ ଲଗାଇବା ଆଦୌ ବୁଦ୍ଧିମାନ ନିଷ୍ପତ୍ତି ହେବନାହିଁ। ପୂର୍ବରୁ ଲଗାଯାଇଥିବା ଲକଡାଉନ ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଅଚାନକ ଭୁଷୁଡ଼ି ପୁଣିଥରେ ଅର୍ଥବ୍ୟବସ୍ଥା ସୁଧୁରିବା ଆରମ୍ଭ କରିଛି। ଏଣୁ ଏବେ ଯଦି ପୁଣିଥରେ ଲକଡାଉନ ଲଦି ଦିଆଯାଏ ପରିସ୍ଥିତି ଜଟିଳ ହୋଇଯିବ।

ଲକଡାଉନ ବଦଳରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି କରାଯିବା ନେଇ ଫିକି ଅଧ୍ୟକ୍ଷ ଯୁକ୍ତି ରଖିଛନ୍ତି। ସରକାରୀ ଲ୍ୟାବ ସାଙ୍ଗକୁ ଟେଷ୍ଟିଂ ଲାଗି ପ୍ରାଇଭେଟ୍ ଲ୍ୟାବର ବହୁଳ ବ୍ୟବହାର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ, ଏଥିପାଇଁ ସ୍ୱେଚ୍ଛାସେବୀ ଓସାମାଜିକ ସଂଗଠନଙ୍କୁ ବ୍ୟବହାର କରାଯିବା ନେଇ ସେ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ୧୮ ବର୍ଷରୁ ଉଦ୍ଧ୍ୱର୍ ଦେଶର ସମସ୍ତ ନାଗରିକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରଦାନ କରାଯିବା ନେଇ ଫିକି ପ୍ରସ୍ତାବ ଦେଇଛି।