ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା, ଫେବୃଆରୀ ୧ରେ ହେବ ଫାଶୀ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ଫେବୃୟାରୀ ୧ ତାରିଖରେ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ସକଳା ୬ଟାରେ ଅକ୍ଷୟ, ବିନୟ, ମୁକେଶ ଏବଂ ପବନକୁ ଫାଶୀ ଖୁଣ୍ଟରେ ଝୁଲାଯିବା ନେଇ ସୁପ୍ରିମ କୋର୍ଟ ପକ୍ଷରୁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ତିହାର ଜେଲରେ ଫାଶୀ ପୂର୍ବରୁ ରହିଥିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ସୂଚନା ଅନୁସାରେ ଜେଲ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯାଇଛି।
ଜେଲ ପ୍ରଶାସନ ପକ୍ଷରୁ ନୋଟିସ ପଠାଯାଇ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା। ନୋଟିସରେ ପଚରାଯାଇଛି ଯେ, ଫେବୃୟାରୀ ୧ରେ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ। ତେବେ ଦୋଷୀମାନେ ଏହାର କ’ଣ ଜବାବ ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।