ଆଜି ଅନ୍ତିମ ଟି-୨୦: ଡ୍ରପ୍ କ୍ୟାଚ୍ ଓ ଫିଲ୍ଡିଂକୁ ନେଇ ଟିମ୍ ଇଣ୍ଡିଆ ଚିନ୍ତିତ

ନୂଆଦିଲ୍ଲୀ: ‘ଯଦି ପ୍ରଦର୍ଶନରେ ଉନ୍ନତି ନ ଆସେ, ତେବେ ଯେତେ ବଡ ସ୍କୋର କଲେ ମଧ୍ୟ ତାହା ମ୍ୟାଚ୍ ଜିତିବା ଲାଗି ପର୍ଯ୍ୟାପ୍ତ ନୁହେଁ।’ ଥିରୁଅନନ୍ତପୁରମରେ ୱେଷ୍ଟଇଣ୍ଡିଜ୍ଠାରୁ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମୁକାବିଲା ହାରିଯିବା ପରେ ଏହା କହିଥିଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି। ଏହି ମ୍ୟାଚ୍ରେ ଭାରତ ଅତିକମରେ ୩ଟି ସହଜ କ୍ୟାଚ୍ ହାତଛଡା କରିଥିଲା। ଯାହା ଫଳରେ ୱେଷ୍ଟଇଣ୍ଡିଜର ମ୍ୟାଚ୍ ଜିତିବା ସହଜ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ଓଭରରେ ଲେଣ୍ଡଲ ସିମନ୍ସଙ୍କର ଏକ ଉଚ୍ଚା କ୍ୟାଚକୁ ୱାଶିଂଟନ ସୁନ୍ଦର ଧରି ପାରି ନଥିଲେ। ସେହି ଓଭରରେ ଏଭିନ୍ ଲୁଇସ୍ଙ୍କ ଆଉ ଏକ କ୍ୟାଚ୍ ମଧ୍ୟ ୱିକେଟ କିପର ଋଷଭ ପନ୍ତ୍ ଛାଡିଦେଇଥିଲେ।

ସିମନ୍ସଙ୍କ ୬ ରନ୍ କରିଥିଲାବେଳେ କ୍ୟାଚ୍ ଡ୍ରପ୍ ହୋଇଥିଲା ଏବଂ ସେ ୪୧ ବଲ୍ରେ ୬୭ ରନ୍ କରି ନିଜ ଦଳକୁ ମ୍ୟାଚ୍ ଜିତାଇଦେଇଥିଲେ। ଫିଲ୍ଡିଂରେ ମଧ୍ୟ ଟିମ୍ ଇଣ୍ଡିଆ ଦୁର୍ବଳ ପ୍ରଦର୍ଶନ କରିଥିଲା। ଯାହା ଫଳରେ ଘରୋଇ ମାଟିରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ହାଇଦ୍ରାବାଦ୍ରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ମଧ୍ୟ ଘରୋଇ ଦଳ ୨ଟି ସହଜ କ୍ୟାଚ୍ ହାତଛଡା କରିଥିଲା। ଇଣ୍ଡିଆ ଏହି ମ୍ୟାଚ୍ ଜିତିଥିବାରୁ କ୍ୟାଚ୍ ହାତଛଡ଼ା ହେବା ମହଙ୍ଗା ସାବ୍ୟସ୍ତ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ ମୁକାବିଲାରେ କ୍ୟାଚ୍ ଡ୍ରପ୍ କରିବା ଏବଂ ଖରାପ ଫିଲ୍ଡିଂ କରିବା ଫଳରେ ଟିମ୍ ଇଣ୍ଡିଆକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି।

ଏହି ଅବସରରେ ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ସିରିଜ୍ ନିର୍ଣ୍ଣାୟକ ମୁକାବିଲା ବୁଧବାର ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଏହି ଡ୍ରପ୍ କ୍ୟାଚ୍ ଓ ସ୍ଲପି ଫିଲ୍ଡିଂକୁ ନେଇ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟର ଚିନ୍ତା ବଢିଯାଇଛି। କିପରି ଏବଂ କେଉଁ ପରିସ୍ଥିତିରେ ଖେଳରେ ଉନ୍ନତି କରାଯାଇପାରିବ ତାହା ଚିନ୍ତାର ବିଷୟ ହୋଇଛି। ଦଳର ଦୁଇ ପେସ୍ ବୋଲର ଦୀପକ ଚହର ଓ ଭୁବନେଶ୍ୱର କୁମାର ରନ୍ ନିୟନ୍ତ୍ରଣ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ମହମ୍ମଦ୍ ସାମିଙ୍କୁ ସୁଯୋଗ ମିଳିବା ନେଇ ଆଶା ସୃଷ୍ଟି ହୋଇଛି। ନଜରରେ ରହିଛନ୍ତି ସୁନ୍ଦର ଓ ପନ୍ତ୍।

ଉଭୟ ଖେଳାଳିଙ୍କଠାରୁ ଆଦୌ ଅନ୍ତର୍ଜାତୀୟ ସ୍ତରର ଖେଳ ଦେଖିବାକୁ ମିଳୁନାହିଁ। ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କ ସାମିଲ ହେବାର ସମ୍ଭାବନା ରହିଛି। ପନ୍ତ୍ ଙ୍କୁ ଦଳ ବିଦା କରିବ ନାହିଁ। କିନ୍ତୁ ସେ ଯଦି ଏଭଳି ପ୍ରଦର୍ଶନ କରନ୍ତି, ତେବେ ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ ହେବ ନାହିଁ। ଅନ୍ୟପକ୍ଷରେ ଦୁଇଥରର ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍କୁ ଫେରିଛି। ତୃତୀୟ ଦିନିକିଆ ଜିତି ଏହି ଦଳ ନିଶ୍ଚିତ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବ।