ଅଙ୍ଗନବାଡ଼ି ରୋଷେଇ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଥାନା ଓ ବିଏସ୍‌ଏଫ୍ କ୍ୟାମ୍ପ ଘେରାଉ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗ୍ରାମମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଧୁଳିପୁଟ ପଞ୍ଚାୟତରରାଙ୍ଗନିଗୁଡ଼ା ଗ୍ରାମର ରାଜୁ ହାନ୍ତାଳ

ସୂଚନା ଅନୁସାରେ ସେ ଶୁକ୍ରବାର ଯନ୍ତାପାଇର ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ ଔଷଧ ଓ ରାସନ କିଣିବାକୁ ଯାଇଥିଲେ। ହାଟରେ ଜଣେ ବିଏସ୍‌ଏଫ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲେ। ଏହାପର ଠାରୁ ରାଜୁ ଘରକୁ ଫେରିନଥିଲେ। ଯନ୍ତାପାଇ ଅଙ୍ଗନବାଡ଼ି ରୋଷେଇ ଘରେ ରାଜୁର ଶବ ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ଓ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ସମୟରେ କିଛିସାଧା ପୋଷାକରେ ଥିବା ବିଏସ୍‌ଏଫ୍ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ବିଏସ୍‌ଏଫ୍ ଓ ଲୋକଙ୍କ ମଧ୍ୟରେ  ବଚସା ହୋଇଥିବାବେଳେ ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲା।

ଏହି ସମ୍ପର୍କରେ କୌଣସି ବିଏସ୍‌ଏଫ୍ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ସେହିପରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି। ଅପରପକ୍ଷରେ ଧୂଳିପୁଟରାଲେଗଡାଓ ଯନ୍ତାପାଇ ଅଞ୍ଚଳର ଶହଶହ ଆଦିବାସୀ ବିଏସ୍‌ଏଫ୍ କ୍ୟାମ୍ପ ଓ ପାପରମେଟେଲା ଥାନାକୁ ଘେରାଉ କରିଛନ୍ତି।