ବିପୁଳ ପରିମାଣର ରନ୍ଧା ମଦ ଜବତ, ଅଭିଯୁକ୍ତ ଫେରାର

ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ଆଜି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଛି। ଏହି ସମୟରେ ସେଠାରୁ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଜବତ କରାଯାଇଛି। ଏଥିସହ ୧୬ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି।

ଅବକାରୀ ବିଭାଗ ସୂଚନା ଅନୁସାରେ କାଲକାଠ ଗ୍ରାମର ଅଲେଖ କିସାନ ନିଜ ଘରବାଡି ପଛପଟେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରି ବେଆଇନ କାରବାର କରୁଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଆଜି ଅବକାରୀ ନୀରିକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ପିକେ ସାହୁ, ରାଧାକାନ୍ତ ଭୋଇ, ଦିଲ୍ଲୀପ ଶତପଥି, ଗୋବିନ୍ଦ ପ୍ରଧାନ ପ୍ରମୁଖ କର୍ମଚାରୀ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅଲେଖ କିସାନ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ସେଠାରୁ ବିପୁଳ ପରିମାଣରେ ରନ୍ଧାମଦ ଜବତ କରିବା ସହ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି।