ଭଲ ଅଛନ୍ତି ଲଙ୍କେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ‘ପ୍ରିୟ ସର୍ବ ଜନ, ଲଙ୍କେଶ ଭଲ ଅଛନ୍ତି। ପୂରାପୂରି ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ମିଥ୍ୟା ଖବର ପ୍ରଚାର ବନ୍ଦ କରିବାକୁ ଅନୁରୋଧ। ଦୟାକରି ସେ କୁଶଳରେ ଥିବା ଖବର ପ୍ରଚାର କରନ୍ତୁ, ଧନ୍ୟବାଦ।’ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏଭଳି ଅନୁରୋଧ କରିଛନ୍ତି ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ରେ ଲଙ୍କେଶ ବା ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ। ସୂଚନାଯୋଗ୍ୟ, ନିକଟରେ ସୋସିଆଲ ମିଡିଆରେ ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଖବର ଖୁବ୍ ଭାଇରାଲ ହୋଇଥିଲା।

ଅନ୍ୟପକ୍ଷରେ ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ମଧ୍ୟ ଟୁଇଟ୍ କରିଛନ୍ତି, ‘ଡିୟର୍ ଅଲ, ମୋର ଚାଚା ଅରବିନ୍ଦ ତ୍ରିବେଦୀ ‘ଲଙ୍କେଶ’ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ନିବେଦନ କରୁଛୁ, ଦୟାକରି ଏଭଳି ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ। ସେ ସୁସ୍ଥ ଓ ସକୁଶଳ ଥିବା ଖବର ପ୍ରଚାର କରନ୍ତୁ। ଧନ୍ୟବାଦ।’ ଆପଣ ଜାଣନ୍ତି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଲୋକଙ୍କ ମନୋରଞ୍ଜନ ପାଇଁ ୩୩ ବର୍ଷ ତଳେ ଦୂରଦର୍ଶନରେ ପ୍ରସାରିତ ‘ରାମାୟଣ’ ଧାରାବାହିକକୁ ପୁନଃ ପ୍ରସାରିତ କରାଯାଇଥିଲା।

‘ରାମାୟଣ’ ଓ ‘ଉତ୍ତର ରାମାୟଣ’ର ପ୍ରସାର ନିକଟରେ ଶେଷ ହୋଇଛି। ଏହି ପୁନଃ ପ୍ରସାରଣବେଳେ ଅରବିନ୍ଦ ଟିଭିରେ ରାମାୟଣ ଦେଖୁଥିବା ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏପ୍ରିଲ ୧୬ରେ ଏହି ଧାରାବାହିକକୁ ୭.୭ କୋଟି ଦର୍ଶକ ଦେଖିଥିଲେ, ଯାହା ରେକର୍ଡ ସୃଷ୍ଟି କରିଥିଲା। ଏହି ଧାରାବାହିକ ‘ଗେମ୍ ଅଫ୍ ଥ୍ରୋନସ’ ଓ ‘ବିଗ୍ ବ୍ୟାଙ୍ଗ’ ଭଳି ସୋ’କୁ ମଧ୍ୟ ପଛରେ ପକାଇ ଦେଇଥିଲା।