‘ଲାଲ୍ କପ୍ତାନ’ର ପୋଷ୍ଟର ଭାଇରାଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଲାଲ୍ କପ୍ତାନ’ର ଦ୍ୱିତୀୟ ପୋଷ୍ଟର ରିଲିଜ୍ ହେବା ମାତ୍ରେ ଖୁବ୍ ଭାଇରାଲ୍ ହୋଇଛି। କିଛି ଦିନ ତଳେ ଏହାର ପ୍ରଥମ ପୋଷ୍ଟର ଆସିଥିଲା ଓ ଏହାକୁ ମଧ୍ୟ ବେଶ୍ ପସନ୍ଦ କରିଥିଲେ ପ୍ରଶଂସକ। ସୈଫ୍ ଅଲ୍ଲୀ ଫିଲ୍ମରେ ନିଜର ଚରିତ୍ର ଏବଂ ଗେଟଅପ୍ କୁ ନେଇ ପ୍ରାୟତଃ ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ପ୍ରଶଂସକ ତାଙ୍କୁ ‘ସେକ୍ରେଡ୍ ଗେମ୍ସ’ର ଦ୍ୱିତୀୟ ସିଜନ୍ରେ ଦେଖିଥିଲେ।

ଏଥିରେ ତାଙ୍କର ଅଭିନୟ ଓ ଗେଟଅପ୍ ଦେଖି ପ୍ରଶଂସକ ମୁଗ୍ଧ ହୋଇଯାଇଥିଲେ। ଏବେ ‘ଲାଲ୍ କପ୍ତାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ସୈଫ୍। ଏ ଫିଲ୍ମକୁ ଖୁବ୍ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି ପ୍ରଶଂସକ। ଆନନ୍ଦ ଏଲ୍ ରାୟଙ୍କ ବ୍ୟାନରରେ ପ୍ରସ୍ତୁତ ‘ଲାଲ କପ୍ତାନ’ର ଏହି ନୂଆ ପୋଷ୍ଟରରେ ସୈଫ୍ ନାଗା ସାଧୁ ଚରିତ୍ରରେ ଦେଖିବାକୁ ମିଳିଛନ୍ତି।

ବଡ଼ ବଡ଼ ଜଟା ସହିତ ମଥାରେ ଲାଲ୍ ସାଫା ବାନ୍ଧି ସୈଫ୍ ଲକ୍ଷ୍ୟ ପଛରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି ଏହି ପୋଷ୍ଟରରେ। ତାଙ୍କ ହାତରେ ତଲୱାର ମଧ୍ୟ ରହିଛି। ଏହି ପୋଷ୍ଟରରେ ସୈଫ୍ ଙ୍କ ଗେଟ୍ଅପ୍ ହଲିଉଡ୍ ଫିଲ୍ମ ‘ପାଇରେଟ୍ସ ଅଫ୍ କ୍ୟାରିବିୟାନ’ର ଚରିତ୍ର ଜ୍ୟାକ୍ସ ପ୍ୟାରୋଙ୍କ ଗେଟଅପ୍ ସହିତ ମିଶିଯାଉଛି ବୋଲି ଚର୍ଚ୍ଚା ଚାଲିଛି।

ଜଣେ ନାଗାସାଧୁଙ୍କ ପ୍ରତିଶୋଧ ଏବଂ ସଂଘର୍ଷର କାହାଣୀକୁ ନେଇ ଏହି ଫିଲ୍ମର କଥାବସ୍ତୁ ଗତିଶୀଳ ହୋଇଛି। ନବଦୀପ ସିଂହ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ସୁନୀଲ ଲୁଲ୍ଲା ଏବଂ ଆନନ୍ଦ ଏଲ୍ ରାୟ ଫିଲ୍ମର ପ୍ରଯୋଜନା କରିଛନ୍ତି। ଅକ୍ଟୋବର ୧୮ରେ ରିଲିଜ୍ ହେବ ‘ଲାଲ କପ୍ତାନ’।